Latest Odisha News

BREAKING NEWS

ଗର୍ଭବତୀ କର୍ମଚାରୀଙ୍କୁ ମେଡ଼ିକାଲ ନ ଛାଡିବା ପ୍ରସଙ୍ଗ: ତ୍ୱରିତ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହୋଇଛି। ଏହି ଘଟଣାରେ ଆଜି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ସହ ମୋବାଇଲ ଯୋଗେ କଥା ହୋଇ ଘଟଣାର ପୂଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଘଟଣାର ତଦନ୍ତ କରି  ତୁରନ୍ତ ରିପୋର୍ଟ ପ୍ରଦାନ କରିବା ସହ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମତୀ ପରିଡା।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର କିରାଣୀ ଭାବରେ କାର୍ଯ୍ୟରତ ଥିଲେ। ସେ ୭ ମାସର ଗର୍ଭବତୀ ଥିଲେ। ଗର୍ଭବତୀ ଥିଲେ ମଧ୍ୟ ସେ ପ୍ରତିଦିନ କାର୍ଯ୍ୟାଳୟ ଆସି କାମ କରୁଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଅବସ୍ଥାରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧିକାରୀ ତଥା CDPO ସ୍ନେହଲତା ସାହୁଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି, ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ବର୍ଷା ଅଭିଯୋଗ କରିଛନ୍ତି । ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁସ୍ଥ ହୋଇ ପଡ଼ିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Comments are closed.