କୋରାପୁଟ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଗୋଟେ ପଟେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିବା ବେଳେ ଅନ୍ୟପଟେ ମୌଳିକ ସୁବିଧା ସମାଧାନ କରିବା ପ୍ରତିବାଦରେ ଗ୍ରାମବାସୀ ବୁଥ୍ ଆଗରେ ଧାରଣା ଦେଇଛନ୍ତି। ଗାଁକୁ ଭଲ ରାସ୍ତା ନଥିବା କାରଣରୁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଏପରି ସ୍ଥିତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନାରାୟଣପାଟଣା ବ୍ଲକ ୧୭୩ନଂ ବୁଥରେ ଦେଖିବାକୁ ମିଳିଛି।
ଲକ୍ଷ୍ମୀପୁର ନାରାୟଣପାଟଣା ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୬ କିଲୋମିଟର ଦୂରରେ କୁତ୍କାଝୋଲା ଗ୍ରାମ। କିଛିବର୍ଷ ପୁର୍ବେ ଏହି ଗ୍ରାମକୁ ଯେଉଁ ରାସ୍ତା ଯାଇଛି ତାହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ରାସ୍ତାର ଅବସ୍ଥା କିନ୍ତୁ ଯେଉଁ ତିମିରେକୁ ସେହି ତିମିରେ । ଗାଁରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ । ଏପରିକି ଖରାପ ରାସ୍ତା ସହିତ ଗୋଡ଼ି ଓ ପଥର ବିଚ୍ଛୁରିତ ହୋଇ ପଡିଥିବା କାରଣରୁ ପ୍ରତିଦିନ ଲୋକମାନେ ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି ।
ସେହିପରି ପାନୀୟ ଜଳ ସମସ୍ୟା, ରାସ୍ତାଘାଟ ଓ ଅନ୍ୟ ସମସ୍ୟା ନେଇ ନେତା, ବିଧାୟକ ଓ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ। ସମସ୍ତେ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ କେହି କିଛି କରିନଥିଲେ।
ଆଜି ସକାଳେ ହଜାର ହଜାର ଗ୍ରାମବାସୀ ବୁଥକୁ ଆସିଥିଲେ। ହେଲେ କେହି ଭୋଟ୍ ଦେବାକୁ ବୁଥ ଭିତରକୁ ଯାଇନଥିଲେ। ବୁଥ୍ ବାହାରେ ହଜାର ହଜାର ଗ୍ରାମବାସୀ ଧାରଣାରେ ବସିଥିଲେ। ଯେପର୍ଯ୍ୟନ୍ତ ମୌଳିକ ସମସ୍ୟାର ସମାଧାନ ହୋଇନି ଭୋଟ ଦେବେ ନାହିଁ ବୋଲି କହିଥିଲେ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।
ସୂଚନାଯୋଗ୍ୟ, ରାଜ୍ୟର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଲାଗି ମତଦାନ ଚାଲିଛି। ଏହି ୪ଟି ଲୋକସଭା ନିର୍ବାଚନମଣ୍ଡଳୀରେ ଚାଲିଛି ଭୋଟିଂ। ସକାଳ ୭ଟାରୁ ଏପର୍ଯ୍ୟନ୍ତ ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦% ଭୋଟ ହୋଇଛି। ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ ହୋଇଛି।
Comments are closed.