Latest Odisha News

ରାଜ୍ୟରେ ଖାଲିପଡିଛି ଆଇଏଏସ୍ ଏବଂ ଆଇପିଏସ୍ ପଦବୀ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀଙ୍କ ମରୁଡି । ଖାଲି ପଡିଛି ପଦବୀ ୬୬ ଆଇଏଏସ୍ ପଦବୀ ଓ ୬୯ ଆଇପିଏସ୍ । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଆଜି ଗୃହରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟରେ ଏବେ ମୋଟ ୨୪୮ ଆଇଏଏସ୍ ମଧ୍ୟରୁ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି । ଦୁଇ ଜଣ ଆଇଏଏସ୍ ଅଧିକାରୀ ଆନ୍ତଃ-କ୍ୟାଡର ଡେପୁଟେସନରେ କାମ କରୁଥିବା ବେଳେ ୨୨ ଜଣ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି ।  ୧୯୫ଟି ଆଇପିଏସ୍ ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡିଛି । ୧୦ ଆଇପିଏସ୍ ୫ ବର୍ଷରୁ ଉର୍ଦ୍ଦ୍ବ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ ବଢୁଛି ଅପରାଧିକ କାର୍ଯ୍ୟକଳାପ । ୨୦୨୩ ତୁଳନାରେ ୨୦୨୪ରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି  । ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯ଶହ ୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି । ଏଥୁରୁ ପରିଲକ୍ଷିତ ହେଉଅଛି ଯେ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୭ ହଜାର ୮ଶହ ୦୫ ହୋଇଛି।   ସେହିପରି ଦୁର୍ଘଟଣାରେ ୨୦୨୩ରେ ୧୧,୯୯୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ରେ ୧୨,୩୭୫ ଏବଂ ଦୁଷ୍କର୍ମ ମାମଲାରେ ୨୦୨୩ରେ ୨,୮୨୬ ଥିବା ବେଳେ ୨୦୧୪ରେ ଏହାର ବୃଦ୍ଧି ପାଇଁ ୩,୦୫୪ ହୋଇଛି ।

Comments are closed.