Latest Odisha News

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ଆସନ୍ତା ୧୭ରେ ବର୍ଷାଙ୍କୁ ଜେରା

କଟକ: ବହୁ ଚର୍ଚ୍ଚିତ ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାର ମଙ୍ଗଳବାର ଶୁଣାଣି ହୋଇଛି। କଟକର ଫ୍ୟାମିଲି କୋର୍ଟ ବା ପାରିବାର ଅଦାଲତରେ ଏହି ମାମଲାର ଶୁଣାଣି ହୋଇଛି। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବାକୁ ମଙ୍ଗଳବାର ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି। ସେହିଦିନ ବର୍ଷାଙ୍କୁ ଜେରା ମଧ୍ୟ କରାଯିବ ବୋଲି ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ପରିବାର ଅଦାଲତରେ ବର୍ଷା ତାଙ୍କ ସପକ୍ଷରେ କେତେକ ଦସ୍ତାବିଜ ଅଦାଲତରେ ଦାଖଲ କରିଥିଲେ। ଏହି ଡକ୍ୟୁମେଣ୍ଟର କପି ପ୍ରଦାନ କରିବାକୁ ଅନୁଭବଙ୍କ ପକ୍ଷରୁ ଅଦାଲତରେ ପ୍ରାର୍ଥାନା କରାଯାଇଥିଲା। ତଦନୁଯାୟୀ ଦାଖଲ ଦସ୍ତାବିଜର ଏକ ନକଲ ଅନୁଭବଙ୍କୁ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଦାଲତ ଏହାକୁ ଗ୍ରହଣ କରି ଅଦାଲତରୁ ସାର୍ଟିଫାଏଡ଼ ଡକ୍ୟୁମେଣ୍ଟ ନେଇ ତାହାର ଏକ କପି ଅନୁଭବଙ୍କୁ ପ୍ରଦାନ କରିବା ପାଇଁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଭବଙ୍କ ପକ୍ଷରୁ ଓକିଲ ଲଳିତେନ୍ଦୁ ମିଶ୍ର, ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ପରିଚାଳନା କରୁଛନ୍ତି। ସୂଚନା ଥାଉକି ଅନୁଭବ ମହାନ୍ତି ୨୦୨୦ ମସିହାରେ ନୂଆଦିଲ୍ଲୀର ପଟିଆଲା ହାଉସରେ ଥିବା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ମାର୍ଚ୍ଚରେ ଏହାକୁ କଟକସ୍ଥିତ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

Comments are closed.