ଓଡିଶା ଏଫସି ପକ୍ଷରୁ ଖେଳିବେ ସ୍କଟଲାଣ୍ଡ ମିଡଫିଲ୍ଡର ଇନମ୍ୟାନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଥିବା ଓଡିଶା ଏଫସି ପ୍ରଦର୍ଶନ ସ୍ତର ସୁଧାରିବା ପାଇଁ ନୂତନ ରଣନୀତି ଆପଣାଇଛି । ଦଳ ଏଟିକେ ମୋହନବାଗାନ ସହ ବଦଳ ଚୁକ୍ତି ମାଧ୍ୟମରେ ସ୍କଟଲାଣ୍ଡର ବ୍ରାଡ ଇନମ୍ୟାନଙ୍କୁ ସାମିଲ କରିଛି । ଇନମ୍ୟାନ ଆଇଏସଏଲର ଆଗାମୀ ମ୍ୟାଚଗୁଡିକରେ ଓଡିଶା ପକ୍ଷରୁ ଖେଳିବେ । ସେହିପରି ଓଡିଶା ପକ୍ଷରୁ ଖେଳୁଥିବା ବ୍ରାଜିଲର ଫରୱାର୍ଡ ମାର୍ସେଲୋ ଲେଇଟେ ପେରେରା ମୋହନ ବାଗାନ ପକ୍ଷରୁ ଖେଳିବେ ।

ଅଷ୍ଟ୍ରେଲିଆରେ ଜନ୍ମିତ ଇନମ୍ୟାନ ନ୍ୟାସନାଲ ୟୁନାଇଟେଡ, କ୍ରିୱେ ଆଲେକଜାଣ୍ଡ୍ରିୟା, ପିଟରବୋରୋ ୟୁନାଇଟେଡ ଓ ଅନ୍ୟ କେତେଗୁଡିଏ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ଖେଳି ସାରିଛନ୍ତି । ଇନମ୍ୟାନଙ୍କ ଉପସ୍ଥିତିକୁ ଦଳକୁ ଫାଇଦାରେ ରଖିବ ବୋଲି ଟିମ୍ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।