Latest Odisha News

BREAKING NEWS

କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ହେବ ‘ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’

ଭୁବନେଶ୍ୱର: କିଟ୍‍ ଓ ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ‘ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ’ ପ୍ରତିଷ୍ଠା ହେବ।

ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ବିସିଆଇ) ଦେଶରେ ଆଇନ୍‍ ଶିକ୍ଷା ଓ ଆଇନ୍‍ ବୃତ୍ତିର ପ୍ରୋତ୍ସାହନ ଓ ନିୟନ୍ତ୍ରଣ ନିମନ୍ତେ ଅଧିବକ୍ତା ଆଇନ ୧୯୬୧ ଅନୁସାରେ ସଂସଦ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବୈଧାନିକ ସଂସ୍ଥା । ଉଭୟ ଆଇନ୍‍ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର ଏବଂ ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଟ୍ରଷ୍ଟ ପକ୍ଷରୁ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଲ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ନିରନ୍ତର ଆଇନ୍‍ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଇଆଇଏଲ୍‍ ଏକ ମଡେଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ। ଏହି ଏକାଡେମୀ ପ୍ରାଥମିକ ଭାବେ ଆଇନ୍‍ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ରହିବ।

ଭାରତର ଅନ୍ୟତମ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ସହଯୋଗରେ ଆଇଆଇଏଲ୍‍ ପ୍ରତିଷ୍ଠା ହେବ।

ଆଇଆଇଏଲ୍‍ ପ୍ରତିଷ୍ଠା ହେଲେ ଭାରତରେ ଥିବା ଆଇନ୍‍ ସ୍କୁଲ୍‍ଗୁଡ଼ିକର ଯୁବ ଅଧ୍ୟାପକ ଓ ଯୁବ ଆଇନ୍‍ଜୀବିମାନେ ଏଠାରେ ସେମାନଙ୍କ ପାରଦର୍ଶିତା, ବୃତ୍ତିଗତ ଦକ୍ଷତା ଓ ବିଚକ୍ଷଣତା ବିକାଶ କରିପାରିବେ। ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ।

୧୯୮୬ ମସିହାରେ ବିସିଆଇ ଓ ଏହାର ଟ୍ରଷ୍ଟ ‘ବିସିଆଇ ଟ୍ରଷ୍ଟ’ ଦ୍ୱାରା ବାଙ୍ଗାଲୋରଠାରେ ପ୍ରଥମ କରି ନ୍ୟାସ୍‍ନାଲ୍‍ ଲ ସ୍କୁଲ୍‍ ଅଫ୍‍ ଇଣ୍ଡିଆ ୟୁନିଭର୍‍ସିଟି ଆଇନ୍‍ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଏହି ଅନୁଷ୍ଠାନ ଏବେ ଦେଶର ମଡେଲ ଆଇନ୍‍ ବିଶ୍ୱବିଦ୍ୟାଳୟ ଭାବେ କାର୍ଯ୍ୟ କରିଆସୁଛି।

ଶୁକ୍ରବାର ନୂଆଦିଲ୍ଲୀସ୍ଥିତ କନ୍‍ଷ୍ଟିଚ୍ୟୁସନ୍‍ କ୍ଲବରେ ଏ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ମନନ କୁମାର ମିଶ୍ର, ସଭାପତି ଶ୍ରୀମନ୍ତୋ ସେନ୍‍ଙ୍କଠାରୁ ଆରମ୍ଭ କରି ବାର୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ସମସ୍ତ ସମସ୍ୟ ଉପସ୍ଥିତ ଥିଲେ।

ବାର୍‍ କାଉନ୍‍ସିଲ୍‍ର ଅଧ୍ୟକ୍ଷ ଶ୍ରୀ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, କେତେକ ଅନିବାର୍ଯ୍ୟ କାରଣ ହେତୁ ବିସିଆଇର ଆଇଆଇଏଲ୍‍ ପ୍ରତିଷ୍ଠା ପରିକଳ୍ପନା କାର୍ଯ୍ୟକାରୀ ହୋଇପାରିନଥିଲା। ଶେଷରେ ବିସିଆଇ ଓ ବିସିଆଇ ଟ୍ରଷ୍ଟର ସଦସ୍ୟମାନେ କିଟ୍‍ ଓ କିସ୍‍ କ୍ୟାମ୍ପସ୍‍ ବୁଲିବା ପରେ ବିଶିଷ୍ଟ ଶିକ୍ଷାବିତ୍‍, ଦୂରଦ୍ରଷ୍ଟା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସହ ଯୋଗାଯୋଗ କରିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟ ସହଯୋଗରେ ବିସିଆଇର ସଦସ୍ୟମାନେ ଭୁବନେଶ୍ୱରଠାରେ ଆଇଆଇଏଲ୍‍ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏକମତ ହୋଇଥିଲେ। ତଦନୁସାରେ ବିସିଆଇ କିଟ୍‍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି।

ଏହି ବୁଝାମଣାପତ୍ର ଅନୁସାରେ ଭୁବନେଶ୍ୱରରେ କିଟ୍‍ ଆବଶ୍ୟକ ଜମି ଯୋଗାଇ ଦେବା ସହ ୧.୫ ଲକ୍ଷ ବର୍ଗଫୁଟ ଜମିରେ ପ୍ରସ୍ତାବିତ ଆଇଆଇଏଲ୍‍ ଭିତ୍ତିଭୂମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ।

ବିଭିନ୍ନ ଶିକ୍ଷଣ କେନ୍ଦ୍ର ଅଧୀନରେ ଆଇଆଇଏଲ୍‍ ଆଇନ୍‍, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ। ଆଇନ୍‍ ତାଲିମ ନେଉଥିବା ଆଇନଜୀବି ଏବଂ ନିରନ୍ତର ଆଇନ୍‍ ଶିକ୍ଷା ଉଦ୍ଦେଶ୍ୟରେ ଆଇନ୍‍ ଶିକ୍ଷା ପାଇଁ ବିଭିନ୍ନ ପ୍ରକାର ଆଇନ୍‍ ବିଷୟ ଉପରେ କେସ୍‍ବହି, ପତ୍ରିକା, ଡାଇଜେଷ୍ଟ ଓ ସମ୍ବାଦପତ୍ର (ଉଭୟ ଛାପା ଓ ଅନଲାଇନ୍‍) ଆଇଆଇଏଲ୍‍ ଦ୍ୱାରା ପ୍ରକାଶ କରାଯିବ।

ଆଇଆଇଏଲ୍‍ ଭାରତ ଓ ଭାରତ ବାହାରେ ଥିବା ଜାତୀୟ ଲ ସ୍କୁଲ୍‍, ଅନ୍ୟାନ୍ୟ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ, ବୃତ୍ତିଗତ ସଂସ୍ଥା, ନ୍ୟାୟିକ ସଂସ୍ଥା, ସରକାରୀ ବିଭାଗ ଏବଂ ଏନଜିଓ ସମେତ ବିଭିନ୍ନ ବାର ଆସୋସିଏସନ୍‍, ରାଜ୍ୟ ବାର୍‍ କାଉନ୍‍ସିଲ୍‍, ଦେଶ ଓ ବିଦେଶରେ ଥିବା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ, ଆଇନ୍‍ର ବିକାଶ ପାଇଁ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ଅନୁଷ୍ଠାନ ସହ ସହଯୋଗ ସ୍ଥାପନ କରିବ।

ପ୍ରାଥମିକ ପର୍ଯ୍ୟାୟରେ ଆଇଆଲଏଲରେ ନିମ୍ନ ଲିଖିତ ବିଭାଗ କାର୍ଯ୍ୟ କରିବ । 

୧) ଏକାଡେମିକ୍‍ ଷ୍ଟାଫ୍‍ କଲେଜ

୨) ସ୍କୁଲ୍‍ ଅଫ୍‍ କଣ୍ଟିନିଉଇଂ ଏଜୁକେସନ୍‍

୩) ଆଇଆଇଏଲ୍‍ ଟ୍ରେନିଂ ସେଣ୍ଟର

୪) ସେଣ୍ଟର ଫର୍‍ ଲିଗାଲ ଏଡ

୫) ବ୍ରିଜ୍‍ କୋର୍ସେସ୍‍ ଫର୍‍ ଫରେନ୍‍ ଡିଗ୍ରୀ ହୋଲ୍‍ଡର୍‍ସ

ଆଇଆଇଏଲ୍‍ ପରିଚାଳନା ପାଇଁ ସାଧାରଣ ପରିଷଦ, କାର୍ଯ୍ୟକାରୀ ପରିଷଦ ଏବଂ ଏକାଡେମିକ କାଉନ୍‍ସିଲ୍‍ ଗଠନ କରାଯିବ। ଏ ସବୁଥିରେ ଆବଶ୍ୟକତା ଅନୁସାରେ ଉଚ୍ଚତର ନ୍ୟାୟିକ, ସରକାରୀ, ଶିକ୍ଷା ମନ୍ତ୍ରାଳୟ, ୟୁଜିସି, ଶିକ୍ଷାବିତ୍‍, ବାର୍‍ର ବରିଷ୍ଠ ସଦସ୍ୟ ଓ ଓଡ଼ିଶାର ମୁଖ୍ୟ ବିଚାରପତି ଆଦିଙ୍କ ପ୍ରତିନିଧିତ୍ୱ ରହିବ।

ପ୍ରଥମ ୩ବର୍ଷ ପାଇଁ ଆଇଆଇଏଲ୍‍ର ସମସ୍ତ କାର୍ଯ୍ୟକ୍ରମ ବିସିଆଇ ପରିଚାଳନା କରିବ। ପରବର୍ତ୍ତୀ ସମୟରେ କେତେକ ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟ/ଉନ୍ନତ ଭିତ୍ତିଭୂମି ଥିବା ଅନ୍ୟାନ୍ୟ ଅନୁଷ୍ଠାନ ଆଇଆଇଏଲ୍‍ ଶୈଳୀରେ ଏହିସବୁ ପାଠ୍ୟକ୍ରମ ପ୍ରଦାନ ପାଇଁ ଅନୁମତି ପାଇବେ ।

ଜାତୀୟ ଆଇନ୍‍ ବିଶ୍ୱବିଦ୍ୟାଳୟର ଆଇନ୍‍ ପ୍ରାଧ୍ୟାପକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାବିତ୍‍ଙ୍କ ବ୍ୟତୀତ ଆଇଆଇଏଲରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ମାନ୍ୟବର ବିଚାରପତି, ପ୍ରତିଷ୍ଠିତ ଆଇନ୍‍ ବିଶାରଦ ଏବଂ ଖ୍ୟାତିସମ୍ପନ୍ନ ବରିଷ୍ଠ ଆଇନ୍‍ଜୀବି, ବାରର ପ୍ରମୁଖ ନେତା ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସଂଶ୍ଳିଷ୍ଟ କରାଯିବା ସହ ସେମାନଙ୍କ ପରାମର୍ଶ, ସାହାଯ୍ୟ ଓ ସହଯୋଗ ନିଆଯିବ । ସେମାନେ ଆଇଆଇଏଲରେ ଅଧ୍ୟାପକ, ମାର୍ଗଦର୍ଶକ ଓ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରିବେ।

 

ଏହା ବ୍ୟତୀତ ବିସିଆଇ ଟ୍ରଷ୍ଟ ମଧ୍ୟ ପ୍ରତିଷ୍ଠିତ ଆଇନ୍‍ ସ୍କୁଲ୍‍ର ଡିନ୍‍, ବିଚାରପତି ଓ ବିଶ୍ୱର ବିଭିନ୍ନ ଦେଶରେ ଥିବା ବାର୍‍ର ସଦସ୍ୟଙ୍କୁ ମଧ୍ୟ ଏହି ସବୁ କାର‌୍ୟ୍ୟକ୍ରମ ପାଇଁ ଆମନ୍ତ୍ରଣ କରିବ। ଉପରୋକ୍ତ ଆଇନ୍‍ ବିଶାରଦମାନେ ସେମାନଙ୍କ ଅଗାଧ ଜ୍ଞାନ ଓ ଅଭିଜ୍ଞତାରୁ କେବଳ ଯେ ଆଇନ୍‍ ଶିକ୍ଷକ ଏବଂ ଆଇନ୍‍ ପେଶାରେ ଥିବା ଆଇନଜୀବିମାନେ ଉପକୃତ ହେବେ ତା ନୁହେଁ, ସେମାନେ ମଧ୍ୟ ଏହି ବିଶିଷ୍ଟ ଆଇନ୍‍ ବିଶାରଦମାନଙ୍କ ସହ ମିଶିବା ସହ ସେମାନଙ୍କଠାରୁ ଶିଖିବାର ସୁଯୋଗ ପାଇବେ ।

 

Leave A Reply

Your email address will not be published.