Latest Odisha News

BREAKING NEWS

ରାତି ପାହିଲେ ରଜ, ଆଜି ସଜବାଜ, ଚାରିଆଡେ ଜମିଲାଣି ଆସର

ଭୁବନେଶ୍ଵର: ବାରମାସରେ ତେର ପର୍ବ ପାଳନ କରନ୍ତି ଓଡ଼ିଆ । ତନ୍ମଧ୍ୟରୁ ଅନ୍ୟତମ ହେଉଛି ଓଡ଼ିଶାର ଗଣପର୍ବ ରଜ । ଆସନ୍ତାକାଲି ରଜ ପାଳିବେ କୁଆଁରୀ । ସେଥିପାଇଁ ଆଜି ଚାଲିଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବ ମୁଖର ହୋଇପଡିଛି ପୁରପଲ୍ଲୀ । ଗାଁ ପଡିଆରେ ବନ୍ଧା ହେଲାଣି ବିଭିନ୍ନ ପ୍ରକାରର ଦୋଳି । କୁଆଁରୀମାନେ ପରସ୍ପରକୁ ମେହେନ୍ଦୀ ଲଗାଇ ଦୋଳି ଖେଳିବାକୁ ପ୍ରସ୍ତୁତ ହେଲେଣି । ରାତି ପାହିଲେ ମୁଣ୍ଡରେ ଚନ୍ଦନ, କୁଙ୍କୁମ ଟିପା, ହାତରେ ମେହେନ୍ଦୀ ଓ ପାଦରେ ଅଳତା ନାଇ ସଜେଇ ହେବେ କୁଆଁରୀ । ଖିଲି ପାନ ଖାଇ ଖେଳିବେ ରଜ ଦୋଳି । ଗାଁ ଗଣ୍ଡାରୁ ଭାସି ଆସିବ ରଜ ଗୀତ ବନସ୍ତେ ଡାକିଲା ଗଜ…

ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍, କ୍ୟାରମ,କବାଡିରେ ବ୍ୟସ୍ତ ଗାଁର ଯୁବପିଢି ।ଗାଁ ଠାରୁ ସହର ଯାଏଁ, ବିଭିନ୍ନ ସ୍ଥାନରେ ଲାଗିଛି ଦୋଳି । ବିଭିନ୍ନ ରକମର ପିଠା ପଣା ସାଙ୍ଗକୁ ବନ୍ଧୁ ବାନ୍ଧବଙ୍କ ସହ ଜମିଲାଣି ଗପର ଆସର ।ବାହାର ରାଜ୍ୟର ରହୁଥିବା ଲୋକେ ନିଜ ନିଜ ଗାଁକୁ ଫେରିଛନ୍ତି । ପରିବାର ବନ୍ଧୁ ବାନ୍ଧବକଙ୍କ ସହ ମନ ଖୋଲି ଏଥର ପାଳିବେ ରଜ। କାଲି ପାଇଁ ଆଜିଠୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ସେପଟେ ଓଡ଼ିଶାର ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ସବୁ ମାର୍କେଟ ରେ ଜମୁଛି ଲୋକଙ୍କ ଭିଡ଼। କିଏ ନୂଆ ଡ୍ରେସ୍ ସହ ମାଚିଂ କାନଫୁଲ ତ ଆଉ କିଏ ମନପସନ୍ଦ ର ଶାଢ଼ୀ କିଣୁଛି ।

ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି ।

 

Comments are closed.