Latest Odisha News

BREAKING NEWS

ଖୁସିଖବର: ‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି ଏହି ଓଡ଼ିଆ ଝିଅ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ କୁନି ଝିଅକୁ ମିଳିବ ୨୦୧୯ ମସିହା ଲାଗି ‘ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର’ । ଜିଲ୍ଲାର ଜଣେ ୧୩ ବର୍ଷିୟା ବାଳିକା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଥିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ପଟ୍ଟନାୟକ ଟ୍ୱିଟ୍ କରି ଜଣାଇଛନ୍ତି ।

BjdElectrycity

ଜିଲ୍ଲାର ପେଣ୍ଠ ଗ୍ରାମର ଶୁଭସ୍ମିତା ତ୍ରିପାଠୀ, ଯିଏକି ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ୧୧୯ ଜଣ କୃତୀ ପିଲାମାନଙ୍କୁ ବଛାଯାଇ ପୁରସ୍କୃତ କରାଯାଉଥିବା ବେଳେ ଏହି ତାଲିକାରେ ରହିଛନ୍ତି କୁନି ଓଡ଼ିଆ ଝିଅ ଶୁଭସ୍ମିତା ।

ସେ ଶିଶୁ ଶ୍ରମକୁ ବିରୋଧ କରିବା ସହିତ ଅନେକ ଶିଶୁ ଶ୍ରମିକମାନଙ୍କୁ ପାଠ ପଢିବାକୁ ପ୍ରବର୍ତ୍ତାଇ ବିଦ୍ୟା ଅଧ୍ୟୟନର ମୁଖ୍ୟ ସ୍ରୋତକୁ ଟାଣି ଆଣିଛନ୍ତି ।

ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏହି ଛାତ୍ରୀ ଜଣକ ପ୍ରାୟ ୨୨ ଜଣ ଛାତ୍ରଛାତ୍ରୀ ଯିଏକି ପାଠ ପଢିବା ଛାଡ଼ିଦେଇଥିଲେ ତଥା ସ୍କୁଲ ଯିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ସେମାନଙ୍କୁ ପୁନର୍ବାର ପାଠ ପଢିବାକୁ ସୁଯୋଗ ତିଆରି କରିଥିଲେ । ନିଜ ପ୍ରଚେଷ୍ଠାରେ ଶୁଭସ୍ମିତା ସେହି ପିଲାମାନଙ୍କର ଅଭିଭାବକମାନଙ୍କୁ କହି ତଥା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପୁଣି ଅଧ୍ୟୟନ କରିବାରେ ସାହାଯ୍ୟ କରିପାରିଛନ୍ତି ।

“ସାମାଜିକ କୁସଂସ୍କାର ଦୂର କରିବାକୁ ବିଦ୍ୟାର ନିତାନ୍ତ ଆବଶ୍ୟକତା ରହିଛି । ଏହି ପିଲାଟିର ସାଧୁଉଦ୍ୟମ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ତଥା ଏହି ଛାତ୍ରୀ ଜଣକ ଅନ୍ୟମାନଙ୍କର ପ୍ରେରଣାର ଉତ୍ସ ହୁଅନ୍ତୁ । ପୁରସ୍କାର ଲାଗି ଅଭିନନ୍ଦନ । ମୁଁ ଖୁବ୍ ଶିଘ୍ର ଭେଟୁଛି,” ବୋଲି କେନ୍ଦ୍ରାପଡ଼ା ସାଂସଦ ଟ୍ୱିଟ୍ ମାଧ୍ୟମରେ ଶୁଭସ୍ମିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

କେନ୍ଦ୍ରାପଡ଼ାସ୍ଥିତ ନେଚର୍ କ୍ଲବ୍ ଶୁଭସ୍ମିତାଙ୍କ ସମ୍ପର୍କରେ କେସ୍ ଷ୍ଟଡ଼ି କରିବା ସହିତ ଦିଲ୍ଲୀରେ ରହିଥିବା ସଂସ୍ଥା ‘ସେଭ୍ ଦି ଚିଲଡ୍ରେନ’ ନାମକ ସ୍ୱେଚ୍ଛାସେବୀ ସଂଗଠନକୁ ଶୁଭସ୍ମିତାଙ୍କ ବିଷୟରେ ଜଣାଇଥିଲେ । ଏହାପରେ ସବୁ ମହଲରୁ ତାଙ୍କ ପାଖକୁ ପ୍ରଶଂସାର ସୂଅ ଛୁଟି ଆସିଥିଲା ।

ନେଦରଲ୍ୟାଣ୍ଡର ଅନ୍ତର୍ଜାତୀୟ ଶିଶୁ ଅଧିକାର ସଂସ୍ଥା ‘କିଡ଼ସ୍ ରାଇଟସ୍ ଫାଉଣ୍ଡେସନ’ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ଦିନ ପୁରସ୍କାର ବିଜୟୀ ପିଲାମାନଙ୍କର ନାମ ଘୋଷଣା କରିବେ ।

ଏହି ପୁରସ୍କାର ପାଇଥିବା ପିଲାମାନଙ୍କୁ ଅଧ୍ୟୟନ ଲାଗି ସାହାଯ୍ୟ ଓ ସମସ୍ତ ସହଯୋଗ ଯୋଗାଇଦେବେ ଏହି ଅନୁଷ୍ଠାନ ।

ଏଠାରେ ସୂଚନାଯୋଗ୍ୟ ୨୦୧୩ରେ ନୋବେଲ୍ ବିଜୟିନୀ ମଲାଲା ୟୁସୁଫଜାୟୀ ଏହି ପୁରସ୍କାର ପ୍ରଥମେ ହାସଲ କରିପାରିଥିଲେ ।

Leave A Reply

Your email address will not be published.