Latest Odisha News

BREAKING NEWS

ବେଙ୍ଗାଲୁରୁରେ ଓଡ଼ିଆ ଝିଅଙ୍କୁ ନିର୍ଯାତନା; ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ଗୁହାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ୮ଜଣ ଓଡ଼ିଆ ଝିଅ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିଲେ ମଧ୍ୟ ସେଠାରେ ନିର୍ଯାତିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି । ନିଯୁକ୍ତି ପ୍ରଦାନ କରିଥିବା ଅନୁଷ୍ଠାନର ମାଲିକଙ୍କ ନିର୍ଯ୍ୟାତନାରୁ ବର୍ତ୍ତିବା ଲାଗି ରାଜ୍ୟ ସରକାର ତୁରନ୍ତ ସେଠାରୁ ଉଦ୍ଧାର କରନ୍ତୁ ବୋଲି ଏହି ଝିଅମାନେ ନିବେଦନ କରିଛନ୍ତି ।

ଏହି ସମସ୍ତ ନିର୍ଯାତିତ ଝିଅମାନେ ବଲାଙ୍ଗୀର ଜିଲ୍ଲା ସଦର ଓ ଦେଓଗାଁ ବ୍ଲକର ବୋଲି ଜଣାପଡ଼ିଛି । ଏହି ଝିଅମାନେ ସେମାନଙ୍କୁ ଦିଆଯାଉଥିବା ନିର୍ଯାତନା ଏବଂ ତୁରନ୍ତ ଏହିସ୍ଥାନରୁ ଉଦ୍ଧାର କରିବାନେଇ ଏକ ଭିଡ଼ିଓ କ୍ଲିପ ଦ୍ୱାରା ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଡିଡ଼ିୟୁ-ଜିକେୱାଇ ସେଣ୍ଟରରେ ଏହି ଝିଅମାନେ ରିଟେଲସପ୍ ମ୍ୟାନେଜମେଣ୍ଟରେ ଛଅମାସର ତାଲିମ୍ ପାଇଥିଲେ । ଏହାପରେ ସପିଂ ମଲରେ ନିଯୁକ୍ତି ପ୍ରଦାନ କରିବାକୁ ପ୍ରରୋଚିତ କରି ବେଙ୍ଗାଲୁରୁ ପଠାଇ ଦିଆଯାଇଥିଲା । ମାତ୍ର ସପିଂ ମଲ୍ ପରିବର୍ତ୍ତେ ଏହି ଝିଅମାନଙ୍କୁ ପରବର୍ତ୍ତୀ ସମୟରେ ସହରର ଏକ ପ୍ୟାକେଜିଂ ୟୁନିଟକୁ ପଠାଇ ଦିଆଯାଇଥିଲା ।

“ଆମକୁ ଭଲଯାଗାରେ ଉତ୍ତମ ନିଯୁକ୍ତି ପ୍ରଦାନର ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ଏବେ ଆମେ ଦୈନିକ ୮ ଘଣ୍ଟା ପରିବର୍ତ୍ତେ ୧୨ ରୁ ୧୪ ଘଣ୍ଟା କାର୍ଯ୍ୟ କରୁଛୁ । ଆମକୁ ମଧ୍ୟ ଠିକ୍ ସମୟରେ ଦରମା ଦିଆଯାଉନାହିଁ । ” ଏକ ଭିଡ଼ିଓ କ୍ଲିପ ମାଧ୍ୟମରେ ଝିଅମାନେ ଏହିପରି ଅଭିଯୋଗ କରିଛନ୍ତି ।

ସେହିପରି ଭାବେ ଅନ୍ୟଜଣେ ଝିଅ କହିଛନ୍ତି ଯେ, ଆମେ ଡିଡ଼ିୟୁ-ଜିକେୱାଇ ସେଣ୍ଟରକୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ସେଠାରେ କେହି ଫୋନ ଉଠାଉନାହାନ୍ତି । ଏବେ କାର୍ଯ୍ୟ କରୁଥିବା ପ୍ୟାକେଜିଂ ୟୁନିଟରେ ଏହି ଝିଅମାନଙ୍କୁ କୌଣସି ପ୍ରକାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉନାହିଁ ।

“ଗୋଟିଏ ସ୍ଥାନରେ ପୁରୁଷ ଓ ମହିଳା ରହିବାର ବ୍ୟବସ୍ଥା କରାଯାଇଛି,” ବୋଲି ଜଣେ ଝିଅ ଏହି ଭିଡ଼ିଓରେ ଅଭିଯୋଗ କରି କହିଛନ୍ତି ।

Leave A Reply

Your email address will not be published.