Latest Odisha News

BREAKING NEWS

ଶିକ୍ଷକ ନିଯୁକ୍ତି ମେରିଟ୍ ଲିଷ୍ଟକୁ ହାଇକୋର୍ଟଙ୍କ ଖାରଜ, ଚ୍ୟାଲେଞ୍ଜ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ଖାରଜ କରିବାକୁ ଓଡ଼ିଶା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୯ରେ ହେବ।

ରାଜ୍ୟର ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ପଞ୍ଚମରୁ ଅଷ୍ଟମ ଶ୍ରେଣୀ)ରେ ୧୮ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ନୂଆ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓଡ଼ିଶା ହାଇକୋର୍ଟ ଓସେପାକୁ ନିର୍ଦ୍ଦେଶ ଦେଇଥିଲେ। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣିଥିବା ଆବେଦନଗୁଡ଼ିକର ଶୁଣାଣି ଶେଷ କରି ଜାନୁଆରି ୩୧ରେ ଅନ୍ତରୀଣ ଆଦେଶ ସଂରକ୍ଷିତ ରଖିଥିଲେ କୋର୍ଟ।

ଓସେପା ପ୍ରଥମେ ଜାନୁଆରୀ ୧୫ରେ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପ୍ରକାଶ କରିଥିଲା ଏବଂ ପରୀକ୍ଷାର୍ଥୀଙ୍କୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପରେ ଜାନୁଆରୀ ୨୦ ଏବଂ ୨୧ ରେ ସେମାନଙ୍କର ଦସ୍ତାବିଜ ଯାଞ୍ଚ କରିବାକୁ କୁହାଯାଇଥିଲା। ତେବେ ୨୦୨୩ ଅଗଷ୍ଟ ୨୨ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ ଜିଲ୍ଲାଭିତ୍ତିକ ଡ୍ରାଫ୍ଟ ମେରିଟ୍ ଲିଷ୍ଟ ପାଇଁ ବିଶେଷ ଭାବେ କୁହାଯାଇଛି ବୋଲି ଆବେଦନକାରୀମାନେ ଏହି ତାଲିକାକୁ ଚ୍ୟାଲେଞ୍ଜ କରିଥିଲେ। ବରଂ ଓସେପା ପକ୍ଷରୁ ରାଜ୍ୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା, ଯେଉଁଥିପାଇଁ କିଛି ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡ଼ିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୨୩ତାରିଖରେ ଓଡ଼ିଶାରେ ପ୍ରାୟ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ କିଛି ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଚିନ୍ତା ପ୍ରକଟ କରିବାରୁ ହାଇକୋର୍ଟଙ୍କ ହସ୍ତକ୍ଷେପ ହୋଇଥିଲା।

Leave A Reply

Your email address will not be published.