Latest Odisha News

BREAKING NEWS

ମହିଳା ଓ ନାବାଳିକା ଚାଲାଣ ରୋକିବ ‘ନୂତନ ସକାଳ’ ନୀତି

ଭୁବନେଶ୍ୱର: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିବଦ୍ଧ ଏବଂ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ସରକାର ମହିଳାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମହିଳା ଓ ନାବାଳିକା ଚାଲାଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ‘ନୂତନ ସକାଳ’ ନାମରେ ଏକ ଖସଡ଼ା ନୀତି ପ୍ରସ୍ତୁତ ହୋଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଚାଲାଣକୁ ପୂର୍ବରୁ ରୋକିବା, ପୀଡ଼ିତଙ୍କୁ ଉଦ୍ଧାର କରି ସୁରକ୍ଷା ଦେବା, ପୁନର୍ବାସ କରିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା।

ସରକାରୀ ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟରେ ପ୍ରାୟ ୩,୯୦୦ ଜଣ ମାନବ ଚାଲାଣ ପୀଡ଼ିତ ଚିହ୍ନଟ ହୋଇଛନ୍ତି। ଏହି ଚିନ୍ତାଜନକ ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନୀତି ଆଣାଯାଉଛି। ‘ନୂତନ ସକାଳ’ ନୀତି ଅନୁଯାୟୀ ପଞ୍ଚାୟତ, ଜିଲ୍ଲା ଓ ରାଜ୍ୟସ୍ତରରେ ତିନିସ୍ତରୀୟ କମିଟି ଗଠନ ହେବ । ଏହା ସହିତ ସ୍ୱତନ୍ତ୍ର ‘ନୂତନ ସକାଳ ସେଲ୍’ ଏବଂ ଏକ କର୍ପସ୍ ଫଣ୍ଡ ଗଠନ ପ୍ରସ୍ତାବ ରହିଛି, ଯାହା ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଶକ୍ତିଶାଳୀ କରିବ । ଆଇନଗତ ପଦକ୍ଷେପକୁ ମଧ୍ୟ ଜୋରଦାର କରାଯିବ।

ସବୁ ଜିଲ୍ଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ, ସ୍ୱତନ୍ତ୍ର ସରକାରୀ ଓକିଲ, ଡିଜିଟାଲ ଫରେନ୍ସିକ୍ ତଦନ୍ତ ଓ ପୀଡ଼ିତା-ସାକ୍ଷୀ ସୁରକ୍ଷା ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ମାମଲାର ଶୀଘ୍ର ବିଚାର ସମ୍ଭବ ହେବ। ଗ୍ରାମାଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାହାରକୁ କାମ ପାଇଁ ଯାଉଥିବା ଲୋକଙ୍କ ତଥ୍ୟ ରଖିବାକୁ ମାଇଗ୍ରେସନ୍ ରେଜିଷ୍ଟର ପ୍ରସ୍ତୁତ ହେବ। ସେହିପରି ସଚେତନତା କାର୍ଯ୍ୟକ୍ରମ, ସ୍କୁଲରେ ଜୀବନଦକ୍ଷତା ଶିକ୍ଷା ଓ ଅନଲାଇନ୍‌ ମାଧ୍ୟମରେ ହେଉଥିବା ସାଇବର ଚାଲାଣ ଉପରେ ବିଶେଷ ନଜର ରଖାଯିବ।

Leave A Reply

Your email address will not be published.