Latest Odisha News

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ଲୋକ ସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ୨୦୨୪ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ତେବେ ଏହି ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ସରକାର ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରୁଛନ୍ତି। ଏନେଇ ଅନେକ ପ୍ରସ୍ତାବ ଆସିଛି। ଓଡ଼ିଶା ସରକାର ଲୋକଙ୍କ ରକ୍ଷା କବଚ ହେବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବସିଥିଲା। ନିଜ ନିଜ ଅଞ୍ଚଳକୁ ନେଇ ସଦସ୍ୟମାନେ ବିଭିନ୍ନ ବିଭାଗର ପ୍ରସ୍ତାବ ଦେଇଛନ୍ତି। ତାହା ବିଚାର କରି ପଦକ୍ଷେପ ନିଆଯିବ। ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ। ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ଏସଆରସି ଓ ଅନ୍ୟ ଅଧିକାରୀ ଏ ଦିଗରେ ପ୍ରସ୍ତୁତ ଅଛନ୍ତି। ତାକୁ କିପରି କାର୍ଯ୍ୟକାରୀ କରାଯିବ, ସେ ଦିଗରେ ଆଲୋଚନା ହୋଇଛି।

ସେହିପରି ସହରରେ ଅଳ୍ପ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ୨୦୦ କୋଟି ଟଙ୍କାର ପ୍ରସ୍ତାବ ଦେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ କରିବ ଭୁବନେଶ୍ୱର ମହାନଗର ନିଗମ। ଓଡ୍ରାଫ ୟୁନିଟକୁ ୨୦ ରୁ ୩୦ ୟୁନିଟ କରିବା ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ବ ଦିଆଯାଇଛି । ସହରାଞ୍ଚଳରେ ଅଳ୍ପ ବର୍ଷାରେ ହେଉଥିବା ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଗୁରୁତ୍ବ ଦିଆଯିବ। ଟ୍ବିନ୍‌ ସିଟି କୃତ୍ରିମ ବନ୍ୟା ପରିଚାଳନା ପାଇଁ ଆଇଆଇଟିର ସହାୟତା ନିଆଯିବ।

ବୈଷୟିକ ସହାୟତା ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବ ଆଇଆଇଟି। ରାଜ୍ୟ, ଜିଲ୍ଲା, ସବଡିଭିଜନସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯିବ। ସାପ କାମୁଡ଼ା ବାବଦରେ ଆପ୍‌ ମାଧ୍ୟମରେ ଲୋକଙ୍କୁ ସତର୍କ କରାଯିବ। ପାଣିପାଗ ବିଭାଗ ସହ ସମନ୍ୱୟ ରଖି କାମ କରାଯିବ। ଜିରୋ କାଜୁଆଲଟି ନୀତି ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ବାହାନଗା ଭଳି ବିପର୍ଯ୍ୟୟ ମୁକାବିଲା ପାଇଁ ୫ଟି ଆଞ୍ଚଳିକ ଅଗ୍ନିଶମ ହବ୍‌ ହେବ। ଆକସ୍ମିକ ବିପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଫାୟାର ସର୍ଭିସ୍ ହବ୍ ତୁରନ୍ତ କାର୍ଯ୍ୟକ୍ଷମ ହେବ ବୋଲି ପ୍ରାକୃତିକ ବିପର୍ଯ୍ୟାୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Leave A Reply

Your email address will not be published.