ଭୁବନେଶ୍ୱର: କାହିଁକି ଦୀଘାରେ ନବନିର୍ମିତ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯାଇଛି, ଏହାକୁ ଯଥା ଶୀଘ୍ର ହଟାଇବାକୁ ଓଡ଼ିଶା ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବେ। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପୁରୀ ସହର ପାରମ୍ପରିକ ଭାବରେ ଜଗନ୍ନାଥ ଧାମ ଭାବରେ ଜଣାଶୁଣା, ଦେଶର ଚାରିଧାମ ମଧ୍ୟରୁ ଏହା ଗୋଟିଏ। ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ। ଆମେ ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିବୁ।
ଆଇନ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ଆଇନଗତ ଆଶ୍ରୟ ନେଇପାରନ୍ତି। ମୁଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବି। ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ। ଆମେ ଏ ସମ୍ପର୍କରେ ଆଇନଗତ ଆଶ୍ରୟ ନେଇପାରିବୁ ବୋଲି କହିଛନ୍ତି ମନ୍ତ୍ରୀ।
କହୀରଖୁଛୁ, ଏବେ ପଶ୍ଚିମବଙ୍ଗର ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ନେଇ ସୃଷ୍ଟି ହୋଇଥିବା ବିବାଦ। ତାକୁ ନେଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ପୁରୀ ଜଗନ୍ନାଥ ମନ୍ଦିରରେ ନବକଳେବର ରୀତିନୀତିରୁ ଅତିରିକ୍ତ ନିମ କାଠ ଦୀଘା ମନ୍ଦିରରେ ମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହାର କରାଯାଇଥିବା ରିପୋର୍ଟ ଆସିଥିଲା। ଯାହାକୁ ନେଇ ଏବେ ତନାଘନା ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ।
ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ପଶ୍ଚିମବଙ୍ଗର କିଛି ଗଣମାଧ୍ୟମ ଚ୍ୟାନେଲକୁ, ଦ୍ୱାଦଶ ଶତାବ୍ଦୀର ମନ୍ଦିରରେ ୨୦୧୫ ନବକଳେବର ରୀତିନୀତିରୁ ଅତିରିକ୍ତ ନିମ କାଠ ମୂର୍ତ୍ତି ନିର୍ମାଣ ପାଇଁ ଦୀଘା ନିଆଯାଇଥିଲା ବୋଲି କହିଛନ୍ତି। ଏଥିସହିତ ଦାସମହାପାତ୍ରଙ୍କ ସମେତ ପୁରୀ ଜଗନ୍ନାଥ ମନ୍ଦିରର କିଛି ସେବକ ସମ୍ପ୍ରତି ଦୀଘା ମନ୍ଦିର ଉଦଘାଟନରେ ଯୋଗ ଦେଇଥିଲେ। ତାଥାପି, ଦାସମହାପାତ୍ର ପରେ ସ୍ପଷ୍ଟ କରିଥିଲେ ଯେ ସେ କୌଣସି ଗଣମାଧ୍ୟମ ଚ୍ୟାନେଲକୁ ଏପରି କହି ନାହାଁନ୍ତି।
ଯାହାକୁ ନେଇ ଆଇନ ମନ୍ତ୍ରୀ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢୀଙ୍କୁ ଏ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.