Latest Odisha News

ରାଜ୍ୟରେ ବଳକା ବିଦ୍ୟୁତ ଦାବି ସରକାରଙ୍କ ବାହାସ୍ପୋଟ ! ମଧ୍ୟପ୍ରଦେଶ ସହ ଚୁକ୍ତିକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରା ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବା ବେଳେ ରାଜ୍ୟ ସରକାର ଦାବି କରୁଥିଲେ ଯେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ। ଏବେ ଏହା ଏକ ବାହାସ୍ପୋଟ ବୋଲି ଜଣାପଡିଛି। ଯେତେବେଳେ ରାଜ୍ୟ ସରକାର ବିଜୁଳି ବିଭ୍ରାଟରୁ ଦୂରେଇ ରହିବାକୁ ଯାଇ ମଧ୍ୟପ୍ରଦେଶର ସହ ଚୁ୍କ୍ତି କରିଛନ୍ତି। ବିରୋଧୀ ଏବେ ଏହାକୁ ନେଇ ସରକାରଙ୍କୁ ଘେରିଥିବା ବେଳେ ଶାସକ ଦଳ କିନ୍ତୁ ଚୁକ୍ତିକୁ ସମର୍ଥନ କରି ମତ ରଖିଛି।

ଚଳିତ ବର୍ଷ ଏପ୍ରିଲ ଓ ଜୁଲାଇ ମାସରେ 350 ମେଗାଓ୍ୱାଟ୍ ଯାଏ ବିଜୁଳି କିଣିବା ପାଇଁ ରାଷ୍ଟ୍ରାୟତ୍ତ ବଲ୍କ୍ ପାଓ୍ବାର ସପ୍ଲାୟର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା (ଗ୍ରିଡକୋ) ମଧ୍ୟପ୍ରଦେଶ ପାଓ୍ୱାର କର୍ପୋରେସନ୍ ଲିମିଟେଡ୍ (ଏମପିସିଏଲ୍) ସହିତ ଚୁକ୍ତି କରିଛି। ଏହି ଚୁକ୍ତି ରାଜ୍ୟରେ ବଳକା ଶକ୍ତି ପାଇଁ ସରକାରଙ୍କ ବଡ଼ ବଡ଼ ଦାବିର ପର୍ଦ୍ଦାଫାସ କରିଛି।

ଓଡ଼ିଶାରେ ବିଜୁଳି ଅଭାବ ନାହିଁ। ଏହାକୁ ଆମେ ପାଓ୍ୱାର କଟ୍ କହିପାରିବା ନାହିଁ। ଅତ୍ୟଧିକ ଲୋଡିଂ ଯୋଗୁଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଉଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ ଦେବା କହିଥିଲେ।

ତଥାପି, ଚଳିତ ବର୍ଷ ଏପ୍ରିଲ ଓ ଜୁଲାଇ ମାସରେ 350 ମେଗାଓ୍ୱାଟ ଯାଏ ବିଜୁଳି କିଣିବା ପାଇଁ ରାଷ୍ଟ୍ରାୟତ୍ତ ବଲ୍କ୍ ପାଓ୍ବାର ସପ୍ଲାୟର୍ ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା (ଗ୍ରିଡକୋ) ମଧ୍ୟପ୍ରଦେଶ ପାଓ୍ବାର କର୍ପୋରେସନ୍ ଲିମିଟେଡ୍ (ଏମପିପିସିଏଲ୍) ସହିତ ଟୁକ୍ତି କରିବା ପରେ ଓଡ଼ିଶା ସରକାରଙ୍କ ଦାବିର ପର୍ଦ୍ଦାଫାସ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆବଶ୍ୟକ ସମୟରେ କୌଣସି ଅଭାବକୁ ପୂରଣ କରିବା ପାଇଁ ଏପ୍ରିଲ ଓ ଜୁଲାଇ ମାସରେ ଯେକୌଣସି ସମୟରେ 350MW ପର୍ଯ୍ୟନ୍ତ ବିଜୁଳି କିଣିବା ପାଇଁ ବିକଳ୍ପ ସହିତ 100 ମେଗାୱାଟ ବିଜୁଳି କିଣିବା ପାଇଁ ଓଡ଼ିଶା ଏମପିପିସିଏଲ ସହ ପାଓ୍ୱାର ବ୍ୟାଙ୍କିଂ ଚୁକ୍ତି କରିଛି।

ନିଅଣ୍ଟ ପରିସ୍ଥିତିରେ ପାଓ୍ୱାର ବ୍ୟାଙ୍କିଙ୍ଗ ହେଉଛି ଏକ ଅଦଳବଦଳ ରାଜିନାମା। ଏହାକୁ ଏକ କ୍ୟାସଲେସ ନେଣଦେଣ ବୋଲି କୁହାଯାଉଛି, ଯେଉଁଥିରେ ମିଳୁଥିବା କିମ୍ବା ଯୋଗାଇ ଦିଆଯାଉଥିବା ଶକ୍ତି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ମଧ୍ୟପ୍ରଦେଶ ଠାରୁ ନିଆଯାଇଥିବା ଶକ୍ତି ସେହି ଆର୍ଥିକ ବର୍ଷ ମଧ୍ୟରେ ଏହାର ଆବଶ୍ୟକତା ସମୟରେ ଫେରସ୍ତ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାର ଏନ୍. ଟି. ପି. ସି. ର ଦର୍ଲିପାଲି ସୁପର ଥର୍ମାଲ ପାଓ୍ୱାର ଷ୍ଟେସନ (ଏନଟିପିଏସ୍)ର ଏକ 800MW ୟୁନିଟ୍ ଅଚଳ ହେବା ପରେ ଆମ ରାଜ୍ୟ ବିଦ୍ୟୁତ୍ ଉତ୍ପାଦନରେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେଣୁ ମଧ୍ୟପ୍ରଦେଶ ସହ ବ୍ୟାଙ୍କିଙ୍ଗ୍ ଚୁକ୍ତି କରିବାକୁ ପଡ଼ିଥିଲା। କିନ୍ତୁ ଚଳିତ ବର୍ଷ ରାଜ୍ୟରେ ବିଦ୍ୟୁତ୍ ଅଭାବ ନାହିଁ। କୋଇଲା ଅଭାବରୁ ଗତବର୍ଷ ବିଦ୍ୟୁତ୍ ସଙ୍କଟ ଦେଖାଦେଇଥିଲା ବୋଲି ମୁଁ ସହମତ, କହିଛନ୍ତି ଗ୍ରୀଡକୋର ଏମଡି ତ୍ରିଲୋଚନ ପ୍ରଧାନ।

ସେପଟେ ବାରମ୍ବାର ବିଜୁଳି କାଟକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ କଂଗ୍ରେସ ଓ ବିଜେପି। ଆମ ପାଖରେ ଏତେ ଶକ୍ତି ଅଛି ଯେ ଆମେ ଅନ୍ୟ ରାଜ୍ୟକୁ ଯୋଗାଇ ଦେଉଛୁ। କିନ୍ତୁ, ତା’ହେଲେ ଆମ ନିଜ ରାଜ୍ୟର ଲୋକମାନେ କାହିଁକି ଯନ୍ତ୍ରଣା ଭୋଗୁଛନ୍ତି? ତେଣୁ ଆସନ୍ତା 27 ତାରିଖରେ ରାଜ୍ୟବ୍ୟାପୀ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

ସେହିପରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହି ଚୁକ୍ତି ରାଜ୍ୟରେ ବଳକା ଶକ୍ତି ନେଇ ଓଡ଼ିଶା ସରକାରଙ୍କ ବଡ଼ ବଡ଼ ଦାବିକୁ ସମ୍ପୂର୍ଣ୍ଣ ଭାବେ ପଦାରେ ପକାଇ ଦେଇଛି। ଓଡ଼ିଶାବାସୀଙ୍କୁ ସରକାର ମିଛ କହିବା ଅତ୍ୟନ୍ତ ଲଜ୍ଜାଜନକ। ଏହା ସ୍ପଷ୍ଟ ଯେ ବ୍ୟସ୍ତବହୁଳ ସମୟରେ ବିଜୁଳି ଚାହିଦା ପୂରଣ କରିବା ପାଇଁ ମଧ୍ୟପ୍ରଦେଶ ଠାରୁ ବିଦ୍ୟୁତ କିଣିବା ପାଇଁ ଏହି ଚୁକ୍ତି କରାଯାଇଛି।

ସେପଟେ ଶାସକ ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, ମୌସୁମୀ ବିଳମ୍ବ ହେଉଛି, ତାତି ଅସହ୍ୟ ହେଉଛି। ତେଣୁ ଆଗାମୀ ଦିନରେ ଯେପରି କୌଣସି ଅଭାବ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ସରକାର ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।

ବାରମ୍ବାର ବିଜୁଳି କାଟକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଲୋକଙ୍କୁ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଥିସହିତ ରାଜ୍ୟରେ ବିଦ୍ୟୁତ୍ ଯୋଗାଣରେ ସୁଧାର ଆଣିବା ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Leave A Reply

Your email address will not be published.