Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ବିଷୟରେ ଆଲୋଚନା ଜାରି ରହିଛି । ଏହି କ୍ରମରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ସରିବା ପରେ ଠାକୁରମାନେ ସକାଳ ଭୋଗ ନଖାଇ ଆଗ ଭକ୍ତମାନଙ୍କୁ ଦର୍ଶନ ଦେଲେ ।ତା’ପରେ ରୋଷ ହୋମ ଓ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରିବା ପରେ ଲାଗେ ଗୋପାଳବଲ୍ଲଭ ଭୋଗ :-ଶ୍ରୀଜୀଉମାନଙ୍କର ଏହା ଜଳଖିଆ ଭାବେ ବିବେଚିତ ହୋଇଥାଏ । ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି ପ୍ରାତଃଭୋଜନର ସମୟ ସକାଳ ନଅ ଘଟିକା ଅଟେ । ଏହା ଏକ ସୁନ୍ଦର ଜଳଖିଆ ଅଟେ ଏଥିରେ ଥାଏ ପାଗ ଖଇ, ନଡ଼ିଆକୋରା, ଦହି, ପାତି ବା ଖୁଦି ନଡ଼ିଆ, ପାଚିଲା କଦଳୀ ଇତ୍ୟାଦି, ଏଇ କେତେବର୍ଷ ହେବ ନିୟମିତ ଖୁଆମଣ୍ଡା ମଧ୍ଯ ଭୋଗରେ ସାମିଲ ହୋଇଛି । ଏହି ନୀତି ସମ୍ପୃକ୍ତ ସେବକମାନେ ହେଲେ ପୂଜାପଣ୍ଡା, ସୁଧ ସୁଆର, ବଲ୍ଳଭ ଯୋଗାଣିଆ, ସୁଆରବଡୁ, ପତ୍ରିବଡୁ, ଗରାବଡୁ, ପାଳିଆ ମହାସୁଆର, ପ୍ରଧାନୀ ଇତ୍ୟାଦି । ଏହି ଭୋଗ ସାଧାରଣତଃ ଅଣସର ପିଣ୍ଡିରେ ବଢ଼ା ଯାଇଥାଏ । ପ୍ରତି ବାଡ଼ ପାଇଁ ଜଣେ ଜଣେ ପୂଜାପଣ୍ଡା (ସମୁଦାୟ ୩ ଜଣ )ପଞ୍ଚ ଉପଚାରରେ ଗୋପାଳବଲ୍ଳଭ ଭୋଗ ସମର୍ପଣ କରନ୍ତି /ପୂଜା କରନ୍ତି । ଧନୁ ମାସରେ ପହିଲି ଭୋଗ ସହ ଏହି ଭୋଗ ଲାଗି ହୋଇଥାଏ । ଦୋଳ ପୂର୍ଣ୍ଣିମା ଓ ସ୍ନାନ ପୂର୍ଣ୍ଣିମା ଦିନ ବଲ୍ଳଭ ଭୋଗ ସହ ସକାଳ ଧୂପ ଭୋଗ ଏକାଠି ହୋଇଥାଏ । ପ୍ରଭୁଙ୍କର ବଲ୍ଳଭ ଭୋଗ ପୂର୍ବରୁ ହେଉଥିବା ସୂର୍ଯ୍ୟ ପୂଜା ଓ ଜୟ ବିଜୟ ପୂଜା ର ସମୟ ପ୍ରାୟତଃ ୮.୩୦ ଠାରୁ ୮ .୪୫ ଘଟିକା ସକାଳୁ ହୋଇଥାଏ. ସୂର୍ଯ୍ୟ ପୂଜା ମୁକ୍ତିମଣ୍ଡପ ପାର୍ଶ୍ଵରେ ଥିବା ସୂର୍ଯ୍ୟ ମନ୍ଦିରରେ ଜଣେ ପୂଜାପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ । ସେହି ପରି ଦ୍ୱାରପାଳ ପୂଜା ଜୟ ବିଜୟ ଦ୍ୱାର ନିକଟରେ ଜଣେ ପୂଜାପଣ୍ଡା କରିଥାନ୍ତି ।
ଏହି ସବୁ ବିଷୟ ଅନୁଧ୍ୟାନ କଲେ ଜଣାଯାଏ ଆମ ଠାକୁର ନିଜ ଭକ୍ତ, ଅନୁଗତ ଓ ପରମ୍ପରାକୁ କେତେ ସମ୍ମାନ କରନ୍ତି. ଆଗାମୀ ଅଧ୍ୟାୟରେ ଜାଣିବା ଅନ୍ୟାନ୍ୟ ନିତ୍ୟ -ବିଧି କଥା କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ସବୁଦିନ ପରି ।

ଏ ସର୍ବ ମାୟାର ସଂଚାର
ଏଣୁ ତୁ ବିଶ୍ୱାସ ନକର ।
ବିବିଧ ଅର୍ଥେ ପ୍ରାଣୀ ଭ୍ରମେ
ଅନ୍ଧ ଯେସନେ ଘୋର ତମେ ।
ସଂସାରେ ଭେଦ ବୁଦ୍ଧି କରେ
ଦୋଷ ଗୁଣକୁ ସେ ବିଚାରେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.