ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଛି ବିଜୁଳି ବୋଝ ଚିନ୍ତା। ୫ ବର୍ଷରୁ ଅଧିକ ହୋଇଥିବା ଫ୍ୟାନ ଓ ଏସି ବଦଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ କୋଠାରେ ଏପରି ପରିବର୍ତ୍ତନ କରି ରାଜ୍ୟ ସରକାର ବିଜୁଳି ସଂରକ୍ଷଣ ସହିତ ଅପଚୟକୁ ରୋକିବାକୁ ପ୍ରୟାସ କରିଛନ୍ତି।
ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଶକ୍ତି ସଂରକ୍ଷଣ ପାଇଁ ଛାତ ଉପରେ ଥିବା ସୋଲାର ସିଷ୍ଟମ, ବୈଦ୍ୟୁତିକ ଉପକରଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବୈଦ୍ୟୁତିକ ଉପକରଣ ବ୍ୟବହାର କରିବା ସହ ବିଦ୍ୟୁତ୍ ବିଲକୁ ମଧ୍ୟ କମ୍ କରିବାକୁ ପଡିବ।
ଶକ୍ତି ମନ୍ତ୍ରୀ କହିଛନ୍ତି, କେତେକ ଉପଭୋକ୍ତା ଅଧିକ ବିଲ୍ ଆଦାୟ ହେଉଥିବା ଅଭିଯୋଗ କରି ନିଜର ଅସନ୍ତୋଷ ପ୍ରକାଶ କରିଥାନ୍ତି। ଏପରି ସ୍ଥିତିରେ ଯଦି ଆଧୁନିକ ଉପକରଣକୁ ବ୍ୟବହାର କରାଯିବ ତାହେଲେ ପ୍ରଭାବୀ ଢଙ୍ଗରେ ପରିଚାଳନା କରାଯାଇପାରିବ।
ବିଭାଗ ପକ୍ଷରୁ ନୀତି ନିର୍ଦ୍ଧାରଣ କରାଯାଇଛି ଏବଂ ଶକ୍ତି ସଂରକ୍ଷଣ ପାଇଁ ପ୍ରୋତ୍ସାହନ ନେଇ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ସହିତ (DISCOMs) ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସରକାରୀ କୋଠାଗୁଡିକରେ ଶକ୍ତି ଦକ୍ଷତା ଏବଂ ଶକ୍ତି ସଂରକ୍ଷଣ ପାଇଁ ପ୍ରଭାବୀ ଉପାୟ ଅବଲମ୍ବନ କରିବା ପାଇଁ ବିଭାଗ ଯୋଜନା ରଖିଛି। ସେହି ଅନୁସାରେ ୫ ବର୍ଷରୁ ଅଧିକ ପୁରୁଣା ଫ୍ୟାନକୁ ବଦଳାଇ ବ୍ରଶଲେସ ଡାଇରେକ୍ଟ କରେଣ୍ଟ ମୋଟର (ବିଏଲଡିସି) ଫ୍ୟାନ ଲଗାଯିବ। ଡାଇରେକ୍ଟ କରେଣ୍ଟ ବିଜୁଳି ଉପରେ ଏକ ବିଏଲଡିସି କାମ ଏବଂ ବିଏଲଡିସି ମୋଟରରେ ଇଣ୍ଡେକ୍ସନ୍ ମୋଟରରେ ବ୍ୟବହୃତ ବିଦ୍ୟୁତ ଚୁମ୍ବକ ପରିବର୍ତ୍ତେ ସ୍ଥାୟୀ ଚୁମ୍ବକ ଥାଏ। ସ୍ଥାୟୀ ଚୁମ୍ବକରେ ବିଦ୍ୟୁତ୍ ଚୁମ୍ବକ ତୁଳନାରେ କମ୍ ଉତ୍ତାପ ହ୍ରାସ ଓ ଶକ୍ତି ରହିଥାଏ। ବିଏଲଡିସି ମୋଟର ଏସିକୁ ଡିସିରେ ପରିବର୍ତ୍ତିତ କରିଥାଏ। ସେହିପରି ୫ ବର୍ଷରୁ ଅଧିକ ପୁରୁଣା ଏୟାର କଣ୍ଡିସନର ବଦଳରେ ୫ ଷ୍ଟାର ରେଟେଡ୍ ଏସି ବ୍ୟବହାର କରାଯିବ।
Comments are closed.