Latest Odisha News

BREAKING NEWS

ମଧ୍ୟପ୍ରଦେଶ ନିର୍ବାଚନରେ ଆପ କରିବ ଖେଳ, କାହାକୁ ହେବ କାଳ?

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ଦଳଗୁଡିକ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରୁଛନ୍ତି। ମଧ୍ୟପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ଲଢେଇ ହେବ।

କିନ୍ତୁ ଏ ଭିତରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ଆକ୍ଟିଭ ହୋଇ ନିର୍ବାଚନ ପ୍ରସ୍ତୁତିରେ ଲାଗି ପଡ଼ିଲାଣି। ଏପରିକି ପ୍ରଥମ ଦଳ ଭାବେ କିଛି ସ୍ଥାନରେ ପ୍ରାର୍ଥୀ ମଧ୍ୟ ଦେଲାଣି ଦଳ।

ଏବେ ଆମ ଆଦମୀ ପାର୍ଟି ମଧ୍ୟ ମଧ୍ୟପ୍ରଦେଶ ଉପରେ ଅଧିକ ଫୋକସ କରିବା ଆରମ୍ଭ କରିଛି। ଚଳିତ ମାସ ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟପ୍ରଦେଶ ଗସ୍ତ କରିବେ।

ମଧ୍ୟପ୍ରଦେଶର ରିବାରେ ଏକ ରାଲିକୁ ଉଭୟ ସମ୍ବୋଧିତ କରିବେ। ମଧ୍ୟପ୍ରଦେଶ ଦଳୀୟ ନେତା ଏ ନେଇ ସୂଚନା ଦେଇଛନ୍ତି। ଏପରିକି ଆପ ପକ୍ଷରୁ ଖୁବ ଶୀଘ୍ର ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗ୍ୟାରେଣ୍ଟି ଘୋଷଣା କରାଯିବ।

ରିବାରେ ଅନୁଷ୍ଠିତ ହେବାକୁ ଥିବା ସଭାକୁ କେଜ୍ରିୱାଲ ଓ ମାନ ସମ୍ବୋଧିତ କରିବା ସହ ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିବେ ବୋଲି ଦଳର ରାଷ୍ଟ୍ରୀୟ ସଚିବ ପଙ୍କଜ ସିଂ କହିଛନ୍ତି।

ରିବା ମଧ୍ୟପ୍ରଦେଶର ବିନ୍ଧ୍ୟ ଅଞ୍ଚଳର ଏକ ପ୍ରମୁଖ ସହର ଭାବେ ଜଣାଶୁଣା। ଏହି ଅବସରରେ କେଜ୍ରିୱାଲ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କୁହାଯାଇଛି।

ଆପ ମଧ୍ୟପ୍ରଦେଶର ସମସ୍ତ ୨୩୦ ଟି ବିଧାନସଭା ସିଟରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ଏପରିକି ଏଥିପାଇଁ ପ୍ରାର୍ଥୀ ଚୟନ ମଧ୍ୟ ଆରମ୍ଭ ହୋଇଛି।

ଆପ ପକ୍ଷରୁ ମଧ୍ୟପ୍ରଦେଶରେ କାର୍ଯ୍ୟକର୍ତାମାନେ ଘର ଘର ବୁଲି ପ୍ରଚାର କରିବା ସହ ପରିବର୍ତ୍ତନ ଯାତ୍ରା ମଧ୍ୟ କରୁଛନ୍ତି। ଦିଲ୍ଲୀ ଓ ପଞ୍ଜାବ ଭଳି ମଧ୍ୟପ୍ରଦେଶରେ ନିୟମିତ ବିଜୁଳି ଓ ପାଣି ଉପଲବ୍ଧ କରାଯିବ ସହ ଲୋକଙ୍କ କଲ୍ୟାଣ ପାଇଁ ଦଳ ବହୁ ଯୋଜନା କରିଛି ବୋଲି କୁହାଯାଇଛି।

ମଧ୍ୟପ୍ରଦେଶରେ ବିଜେପି ସରକାରରେ ଥିବାବେଳେ କଂଗ୍ରେସ ଏଥର ଶାସନକୁ ଆସିବାକୁ ନିଜର ସବୁ ଶକ୍ତି ଲଗାଇଦେଇଛି। କର୍ଣ୍ଣାଟକ ଭଳି ୫ ଟି ଗ୍ୟାରେଣ୍ଟି ସହ ପିସିସି ସଭାପତି କମଳନାଥ ବ୍ୟାପକ ପ୍ରଚାର କରୁଛନ୍ତି। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତର ପ୍ରଚାରକୁ ଓଲ୍ହାଇଛନ୍ତି।

ସେପଟେ ବିଜେପି ମଧ୍ୟ ଆଗୁଆ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ କରି ମଧ୍ୟପ୍ରଦେଶକୁ ଅଧିକ ଫୋକସ କରୁଛି। ତେଣୁ ଏଭଳି ସ୍ଥିତିରେ ଆପର ଏଭଳି ଆଭିମୁଖ୍ୟ କାହାକୁ କ୍ଷତି ପହଞ୍ଚାଇବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.