ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜିଲ୍ଲାରେ ଏକ ମେଡିକାଲ କଲେଜ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି। ଏହି ଘୋଷଣା ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିବା ସହ ସ୍ଥାନୀୟ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବାରେ ସହାୟକ ହେବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଖୁସିବ୍ୟକ୍ତ କରିଛନ୍ତି। ଜଗତସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରିବାର କିଛି ଦିନ ପରେ ଢେଙ୍କାନାଳ ବାବଦରେ ସରକାର ଘୋଷଣା କରିଛନ୍ତି।
ମନ୍ତ୍ରୀ କୃଷ୍ଣ ପାତ୍ର ପ୍ରେସମିଟ୍ କରି କହିଛନ୍ତି ଯେ, ଢେଙ୍କାନାଳ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ଏହି ମେଡିକାଲ କଲେଜ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ପ୍ରାରମ୍ଭରେ ଏହି କଲେଜରେ ଏମବିବିଏସ୍ ପାଠ୍ୟକ୍ରମ ଆରମ୍ଭ ହେବ ଏବଂ ପରେ ଏହାର ବିସ୍ତାର ହେବାର ଯୋଜନା ରହିଛି। ଏହା ସହିତ ଭବିଷ୍ୟତରେ କ୍ୟାମ୍ପସର ବିସ୍ତାର ପାଇଁ ଅତିରିକ୍ତ ୨୦ ଏକର ଜମି ମଧ୍ୟ ଚିହ୍ନିଟ କରାଯାଇଛି।
ସେ ଆହୁରି କହିଛନ୍ତି, ଓଡ଼ିଶା ସରକାର ଢେଙ୍କାନାଳରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆବଶ୍ୟକୀୟ ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏହା ଆମର ନିର୍ବାଚନୀ ପ୍ରତିଶ୍ରୁତି ଥିଲା। ବିଜେପି ସରକାର ଗଠନ କରିବା ପରେ ଆମେ ଏହି ପ୍ରତିଶ୍ରୁତି ପୂରଣ କରୁଛୁ। ଆଜି ମୋ ପାଇଁ ଏକ ଖୁସିର ଦିନ। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
ଢେଙ୍କାନାଳ ଜିଲ୍ଲାରେ ଥିବା ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ରହିଛି । ଏପରି ସ୍ଥିତିରେ ସରକାରଙ୍କ ଏହି ଘୋଷଣା କାର୍ଯ୍ୟକ୍ଷମ ହେଲେ ଆଗାମୀ ଦିନରେ ଡାକ୍ତର ସମସ୍ୟା ଦୂର ହେବ ଏବଂ ଲୋକେ ଭଲ ଚିକିତ୍ସା ପାଇପାରିବେ ବୋଲି ମନ୍ତ୍ରୀ କୃଷ୍ଣ ପାତ୍ର ଆଶାବ୍ୟକ୍ତ କରିଛନ୍ତି ।
Comments are closed.