ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ନିର୍ମାଣ କାମ ବନ୍ଦ
ଭୁବନେଶ୍ୱର: ନବ ବର୍ଷର ଆରମ୍ଭରେ ହିଁ ଭୁବନେଶ୍ୱର ଓ କଟକ ଭଳି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ‘ଗମ୍ଭୀର’ ବର୍ଗକୁ ବୃଦ୍ଧି ପାଇଥିବାରୁ ସରକାର କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବବର୍ଷ ସକାଳେ ହିଁ ଭୁବନେଶ୍ୱରରେ ଏକ୍ୟୁଆଇ ୩୫୨ ଏବଂ କଟକରେ ୩୦୯ ରେକର୍ଡ କରାଯାଇଥିଲା।
ତେବେ ଜାନୁଆରୀ ୫ ତାରିଖ ସୁଦ୍ଧା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପ୍ରଦୂଷଣ ସ୍ତର କୁ ‘ଗମ୍ଭୀର’ ଭାବରେ ବିବେଚନା କରିବା ସହ ଭୁବନେଶ୍ୱରରେ ଏକ୍ୟୁଆଇ ପ୍ରାୟ ୨୫୬ ଏବଂ କଟକରେ ୨୫୧ ରହିଥିବା ନେଇ ସୂଚନା ଦେଇଛି। ଏଥିସହିତ ଘନ କୁହୁଡ଼ି ଯୋଗୁଁ ରାଜଧାନୀର କିଛି ସ୍ଥାନରେ ଦୃଶ୍ୟମାନତାକୁ ୫୦ ମିଟର ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତ ଯୋଗୁଁ ହୋଇଥିବା ପରିବର୍ତ୍ତନ, ଯାନବାହନରୁ ନିର୍ଗତ ଧୂଆଁ, ବିଭିନ୍ନ କାରଣରୁ ସୃଷ୍ଟି ହେଉଥିବା ଧୂଳିର ପ୍ରଭାବ ଯୋଗୁଁ ଏକ୍ୟୁଆଇ ବୃଦ୍ଧି ପାଇଥିବା କୁହାଯାଉଛି। ଏଥିପାଇଁ କିଛି ଜରୁରୀ ପଦକ୍ଷେପ ମାନ ମଧ୍ୟ ନିଆଯାଇଛି।
ଯେପରିକି ରାତି ସମୟରେ ନିର୍ମାଣ ଉପରେ ପ୍ରତିବନ୍ଧକ ଲଗାଇ ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି। ବାୟୁ ର ଗୁଣବତ୍ତା ଉନ୍ନତ ନହେବା ପର୍ଯ୍ୟନ୍ତ ପୌରାଞ୍ଚଳ ସୀମା ମଧ୍ୟରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି।
ସହର ସୀମାରେ ଟ୍ରକ୍ ଏବଂ ଭାରୀ ଯାନବାହନର ପ୍ରବେଶ ଏବଂ ପରିବହନକୁ ହ୍ରାସ କରାଯିବା ସହ ପୋଲିସ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ଅଧିକାରୀମାନଙ୍କୁ ଯାନବାହନ ଫିଟନେସ୍ ଏବଂ ନିର୍ଗମନ ମାନଦଣ୍ଡ ଉପରେ କଡ଼ା ଯାଞ୍ଚ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ରାଜପଥ ଏବଂ ପ୍ରମୁଖ ସ୍ଥାନ ସମେତ ରାସ୍ତାଗୁଡ଼ିକରେ ବାୟୁ କଣିକାଗୁଡ଼ିକୁ ଦମନ କରିବା ପାଇଁ ଦିନକୁ ତିନିଥର ପାଣି ସିଞ୍ଚନ କରାଯିବ। ରାସ୍ତା ପାର୍ଶ୍ୱରେ ଥିବା ଖାଦ୍ୟପେୟ, ହୋଟେଲ ଗୁଡ଼ିକରେ କୋଇଲା କିମ୍ବା କାଠ ବ୍ୟବହାର କରିବାକୁ ବରଣ କରାଯାଇଛି।
ତେବେ ଖୋଲା ସ୍ଥାନରେ ଅଳିଆ, ଶୁଖିଲା ପତ୍ର, ପ୍ଲାଷ୍ଟିକ୍ କିମ୍ବା ଯେକୌଣସି ଆବର୍ଜନା ପୋଡ଼ିବା ଉପରେ କଟକଣା ଲଗାଯାଇଛି।
ଯଦି କେହି ନିର୍ଦ୍ଦେଶ ଗୁଡ଼ିକ ଉଲଂଘନ କରନ୍ତି ତେବେ ସେମାନଙ୍କ ପ୍ରତି କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଭାରୀ ଜରିମାନା ଲାଗୁ କରାଯିବ ବୋଲି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ମନ୍ତ୍ରୀ ଗଣେଶ ସିଂହ ଖୁଣ୍ଟିଆ ଚେତାବନୀ ଦେଇଛନ୍ତି। ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ପାଇଁ ଏହି ସବୁ କଟକଣା ଲାଗୁ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।