Latest Odisha News

୭୫୪୦ ଶିକ୍ଷକ ନିଯୁକ୍ତି ପୂରଣ କରିବାକୁ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇସ୍କୁଲରେ ଖାଲିଥିବା ୭୫୪୦ ଶିକ୍ଷକ ପଦବୀ ପୂରଣ ହେବ। ଏ ନେଇ ରାଜ୍ୟ ସରକାର ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୪୮୪୮ ସରକାରୀ ହାଇସ୍କୁଲରେ ଏହି ସବୁ ଖାଲି ଥିବା ଶିକ୍ଷକ ପଦବୀ ପୂରଣ କରାଯିବ।ଖାଲି ଥିବା ଶିକ୍ଷକ ପଦବୀ ଆର୍ଟସ, ବିଜ୍ଞାନ, ଗଣିତ, ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ ସହିତ ସମସ୍ତ ବିଭାଗର ରହିଛି। ଓଡିଶା ଷ୍ଟାଫ ସିଲେକ୍‌ସନ କମିଶନଙ୍କ ଦ୍ବାରା ଏହି ଖାଲିଥିବା ପଦବୀ ପୂରଣ କରିବାକୁ ରାଜ୍ୟ ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ମସିହାରେ ଓଡିଶା ସରକାର ଅନେକ ସରକାରୀ ବିଦ୍ୟାଳୟରେ ୧୩ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି କରିଥିଲେ। ଦୁଇଟି ଚୟନ ପ୍ରକ୍ରିୟାରେ ଏହି ନିଯୁକ୍ତି ଦିଆଯାଇଥିଲା।

ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ରୂପାନ୍ତର ଆଣିବା ପ୍ରକ୍ରିୟା ଜାରି ରହିଥିବା ବେଳେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇ ପିଲାମାନଙ୍କ ପାଇଁ ଆଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଛି। କମ୍ପୁଟର, ଇଣ୍ଟରନେଟ ଠାରୁ ଆରମ୍ଭ କରି ଇ-ଲାଇବ୍ରେରୀ, ଉନ୍ନତ ଖେଳ ଉପକରଣ ଓ ପଡିଆ ତଥା ଅନ୍ୟାନ୍ୟ ସୁବିଧାର ବିକାଶ କରାଯାଉଛି। ୫-ଟିରେ ନିଯୁକ୍ତି କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି। ବିଭିନ୍ନ ବିଭାଗରେ ଥିବା ଖାଲି ପଦବୀ ଗୁଡିକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହିତ କ୍ଷୀପ୍ର ଗତିରେ ପୂରଣ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ବିଭାଗର ହଜାର ହଜାର ପଦବୀ ପୂରଣ କରାଯାଇଥିବା ବେଳେ ଏହି ନିଯୁକ୍ତି ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ।

Comments are closed.