ଭୁବନେଶ୍ୱର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି।
ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା କାର୍ଯ୍ୟକାରୀ ହେବା ନେଇ କୁହାଯାଇଛି।
ଶାଲିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଦାୟିତ୍ଵ ମୁକ୍ତ ହେବା ପରେ ଗିରିଶ ଏସଏନ୍ ମିଶନ ଶକ୍ତି ବିଭାଗର କମିଶନର-କମ୍-ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ବର୍ତ୍ତମାନ ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର କମିଶନର-କମ୍-ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ।ଅପରପକ୍ଷରେ ଏନ ଥିରୁମାଲା ନାଏକ ସ୍କୁଲ ଏବଂ ଗଣଶିକ୍ଷା ବିଭାଗରେ କମିଶନର-କମ୍-ସଚିବ ଭାବରେ ଦାୟିତ୍ଵ ନେବେ।
ପର୍ଯ୍ୟଟନ ନିର୍ଦ୍ଦେଶକ ମାନସୀ ନିମ୍ଭାଲ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବରେ ଓ ସୁରେନ୍ଦ୍ର କୁମାର ମୀନା ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଗ୍ରହଣ କରିବା ନେଇ ରିପୋର୍ଟରୁ ଜଣାପଡ଼ିଛି।
ସେହିପରି ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଏବଂ ଅଭିସରଣ ବିଭାଗର ଅତିରିକ୍ତ ସଚିବ ଭାବରେ ଦାୟିତ୍ଵ ଦିଆଯାଇଥିବା ବେଳେ ଚଞ୍ଚଲ ରାଣା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବେ।
ବର୍ତ୍ତମାନ ଏସଟି ଏବଂ ଏସସି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସରକାରଙ୍କ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟରତ ଥିବା ପ୍ରେମଜିତ ନାୟକଙ୍କୁ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଦିଆଯାଇଛି।
Comments are closed.