ରାଜ୍ୟରେ ଖୁବ୍ଶୀଘ୍ର ଆରମ୍ଭ ହେବ ଓବିସି ଗଣନା କାର୍ଯ୍ୟ; ସବୁ ଜିଲ୍ଲାପାଳଙ୍କୁ ଓବିସି କମିସନଙ୍କ ଚିଠି
ଭୁବନେଶ୍ୱର: ରାଜ୍ୟରେ ଖୁବ୍ଶୀଘ୍ର‘ଓବିସି’ଗଣନା କାର୍ଯ୍ୟ ଆରମ୍ଭ ହେବ। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଓବିସି କମିସନ୍ ସଦସ୍ୟ ସଚିବ ଭି.ଭି ଯାଦବ ରାଜ୍ୟର ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖି ଜଣାଇବ ସହ ଗଣନା କାର୍ଯ୍ୟ କିପରି ହେବ ତାହାର ବିବରଣୀ ଦିଆଯାଇଛି। ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ୍ କିମ୍ବା ମେ’ ମାସରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇ ଜୁଲାଇ ମାସ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏହା ପୂର୍ବରୁ ୨୦୨୧ ମେ’ ମାସରେ ଓବିସି ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କରୋନା ସଂକ୍ରମଣ ସ୍ଥିତି ଜଟିଳ ଥିବାରୁ ଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ହେଲେ ଚଳିତ ବର୍ଷ ଗଣନା କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି କିଭଳ ରହିଛି, ଏଥିରେ ସୁଧାର ଆସିଛି କି ନାହିଁ ତାହା ଜାଣିବା ପାଇଁ ଏହି ଗଣନା କାର୍ଯ୍ୟ କରାଯିବ। ଓବିସି ଗଣନା ପାଇଁ ବିଭିନ୍ନ ବିଭାଗରେ ସରକାରୀ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି। ପଞ୍ଚାୟତ ସ୍ତରରୁ ଗଣନା କାର୍ଯ୍ୟ ଭଲଭାବେ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ଠାରୁ ନେଇ ବରିଷ୍ଠ ସଚିବମାନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୬ ବରିଷ୍ଠ ପ୍ରଶାସନିକ ଅଧିକାରୀ (ଅତିରିକ୍ତ ସଚିବ ପାହ୍ୟା)ଙ୍କୁ ୩୦ଟି ଜିଲ୍ଲାର ଜୋନାଲ୍ ଅଫିସର୍ ଭାବେ ଦାୟିତ୍ୱ ଦିଆଯାଇଛି।
ଗଣନା ପାଇଁ ବ୍ଲକ୍ ସ୍ତରରେ ସୁପର୍ଭାଇଜର୍ ଓ ଗଣନାକାରୀଙ୍କୁ ସ୍ୱତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ। ପଞ୍ଚାୟତ ସ୍ତରରେ ଅଙ୍ଗନବାଡ଼ି କର୍ମୀ ଏବଂ ସହରାଞ୍ଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ ସଂଗ୍ରହରକାରୀ ଅଫିସରମାନଙ୍କୁ ଗଣନା କାର୍ଯ୍ୟରେ ନିଯୁକ୍ତ କରାଯିବ।
ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟ (ଆଇସିଆର ଫର୍ମ)ରେ କରାଯିବ। ଏଥିରେ ପରିବାରର ମୁଖ୍ୟଙ୍କ ପରିଚୟ ପ୍ରମାଣପତ୍ରରୁ ଯେ କୌଣସି ଗୋଟିଏ (ଭୋଟର କାର୍ଡ, ଆଧାର କାର୍ଡ, ପ୍ୟାନ କାର୍ଡ କିମ୍ବା ପାସପୋର୍ଟ) ରହିବା ବାଧ୍ୟତାମୂଳକ। ଏହି ଗଣନା ସଂକ୍ରାନ୍ତ ସମସ୍ତ ତଥ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ କରାଯିବ।
ସ୍କୁଲ୍ରେ ହେବ ଓବିସି ଗଣନା
ଓବିସି ଗଣନା ପାଇଁ ସ୍କୁଲ୍, ସରକାରୀ ଅନୁଷ୍ଠାନ ଆଦି ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ର ଆଦିରେ ଏହି ଗଣନା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ କେନ୍ଦ୍ରରେ ୨ରୁ ୫ଜଣ ଲେଖାଏ ଗଣନାକାରୀ ରହିବେ।
Comments are closed.