ଭୁବନେଶ୍ୱର: ବିଦା ହେବେ ଅସାଧୁ, ଅପାରଗ ସରକାରୀ ଅଧିକାରୀ ଓ କର୍ମଚାରୀ। ସବୁ ବିଭାଗକୁ ମୁଖ୍ୟ ସଚିବ ଲେଖିଛନ୍ତି ଚିଠି। ଅସାଧୁ ଓ ଅପାରଗ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅବସର ପୂର୍ବରୁ ଚାକିରିରୁ ବିଦା କର। କାର୍ଯ୍ୟରେ ସନ୍ଦେହଜନକ ରହୁଥିବା, ସଚ୍ଚୋଟତାର ଅଭାବ ଥିବା କିମ୍ବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ଅବସର ପୂର୍ବରୁ ସରକାରୀ ଚାକିରିରୁ ବହିଷ୍କାର କରିବାକୁ ମୁଖ୍ୟ ସଚିବ ଦେଇଛନ୍ତି ନିର୍ଦ୍ଦେଶ।
ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ସର୍କୁଲାରକୁ କଡ଼ାକଡ଼ି ପାଳନ କରିବାକୁ ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ସବୁ ବିଭାଗର ମୁଖ୍ୟଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସେବା କୋଡର ନିୟମ-୭୧ କ୍ଲଜ -A ଅନୁଯାୟୀ,ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରକୃତ ଅବସର ପୂର୍ବରୁ ଯେଉଁମାନଙ୍କର ସାଧୁତାକୁ ନେଇ ସନ୍ଦେହ ରହିଛି ଏବଂ ଯେଉଁମାନେ କାର୍ଯ୍ୟ ସଂପାଦନ କରିବାକୁ ଅପାରଗ ସେମାନଙ୍କୁ ଚାକିରିରୁ ବିଦା କରାଯାଉ।
ସୂଚନା ଯୋଗ୍ୟ, ପୂର୍ବରୁ ୨୦୧୯ ମସିହା ସେପ୍ଟେମ୍ବର ୨୪ରେ ସାଧାରଣ ପ୍ରଶାସନ ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଏହି ମର୍ମରେ ସବୁ ବିଭାଗର ସଚିବଙ୍କୁ ଏକ ସର୍କୁଲାର ଜାରି କରିଥିଲେ। ଏଥିରେ ଉଲ୍ଲେଖ ଥିଲା ସରକାରୀ ଚାକିରିଆଙ୍କର ଦକ୍ଷତାର ନିୟମିତ ସମୀକ୍ଷା କରାଯିବା ଦରକାର। ଗ୍ରୁପ-A ଓ ଗ୍ରୁପ-B ଅଫିସରଙ୍କ କ୍ଷେତ୍ରରେ ଚାକିରିର ୩୦ ବର୍ଷ ପୂରଣ କରିଥିବା କିମ୍ବା ଅଧିକାରୀଙ୍କୁ ୫୦ ଓ ୫୫ ବର୍ଷ ବୟସ ହେଲେ ରିଭ୍ୟୁ କମିଟି ଗଠନ କରି ସମୀକ୍ଷା କରାଯିବାକୁ କୁହାଯାଇଥିଲା।
ସେହିପରି ଗ୍ରୁପ C ଓ ଗ୍ରୁପ-D କର୍ମଚାରୀଙ୍କ ପାଇଁ ରିଭ୍ୟୁ କମିଟି ସମୀକ୍ଷା କରିବାକୁ ସର୍କୁଲାରରେ ଉଲ୍ଲେଖ ରହିଥିଲା। ଏହି ସର୍କୁଲାରରେ ଦର୍ଶାଯାଇଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସଠିକ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି। ଯାହକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ସଚିବ।
ସରକାରୀ କାର୍ଯ୍ୟାଳୟଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ଲାଗି ଜିଏ ଓ ପିଜି ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.