ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍ ଟନ୍ରୁ ୭୭ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ପ୍ରାୟ ୧୨ ଲକ୍ଷ ବୃଦ୍ଧି କରାଯାଇଛି।
ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍ପୁଟ ସହାୟତା ପ୍ରଦାନ କରାଯାଉଥିବାରୁ ଧାନକିଣାରେ ଅଧିକରୁ ଅଧିକ ଚାଷୀ ଭାଗନେବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଉକ୍ତ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୂଜାଙ୍କ ସମେତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହଙ୍କ ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ୯ ଲକ୍ଷ ୭୭ ହଜାର ୨୯୩ ଜଣ ଚାଷୀଙ୍କଠାରୁ ୪୬ ଲକ୍ଷ ୩୬ ହଜାର ୫୪୧ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏପର୍ଯ୍ୟନ୍ତ ସର୍ବନିମ୍ନ ସହାୟତା ମୂଲ୍ୟ ବାବଦରେ ପ୍ରାୟ ୧୦ ହଜାର କୋଟି ଟଙ୍କା ସାଙ୍ଗକୁ ଇନ୍ପୁଟ ସହାୟତା ବାବଦରେ ୩୪୭୬ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇ ସାରିଛି। ଚଳିତ ବର୍ଷ ଧାନକିଣା ପାଇଁ ଚାଷୀମାନଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବା ସହ ମଣ୍ଡିଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।
ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ସହ ୩୮୮୩ ଜଣ ନୋଡାଲ ଅଧିକାରଙ୍କୁ ନିୟୋଜିତ କରାଯାଇଛି । ଏଥି ସହ ବାହାର ରାଜ୍ୟର ଧାନଗାଡ଼ି ଉପରେ କଡ଼ା ନଜର ରଖିବା ପାଇଁ ୨୧୭ ଜଣ ଏନ୍ଫୋର୍ସମେଣ୍ଟ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ମଣ୍ଡିରୁ ମିଲ୍କୁ ନେଇ ଯାଉଥିବା ଗାଡ଼ି ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଉଛି । ଚାଷୀମାନଙ୍କୁ ଟୋକନ, ଇନ୍ପୁଟ ସହାୟତା, ଏମ୍ଏସ୍ପି ପ୍ରଦାନ ସହ ଧାନବିକ୍ରୟ ସମ୍ପର୍କିତ ବିଭିନ୍ନ ଅଭିଯୋଗର ତ୍ୱରିତ ସମାଧାନ କରାଯାଉଛି । ଏଥି ନିମନ୍ତେ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି । ଚାଷୀମାନଙ୍କ ହିତରେ ଜାରି ଟୋଲ୍ଫି୍ର ନଂ-୧୯୬୭ ଜରିଆରେ ୪ଲକ୍ଷ ୧୫ ହଜାର ୨୬୭ଟି କଲ୍ ଗ୍ରହଣ କରାଯାଇ ଏହାର ସମାଧାନ କରାଯାଇଛି । ଏଥି ସହ ମିଲ୍ଗୁଡ଼ିକୁ ଧାନ ପଠାଯାଇ ଏଥିରୁ ବିଭିନ୍ନ ଉତ୍ପାଦ ପ୍ରକ୍ରିୟା ପ୍ରସ୍ତୁତି ଜାରି ରହିଛି ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.