Latest Odisha News

କାଲି ସ୍ୱାଧିନତା ଦିବସ, ଆଜି କୋଟିଆରେ ଲାଗିଲା ଓଡିଆ ଫଳକ

କୋରାପୁଟ: ଓଡିଶାର କୋଟିଆ ଅଂଚଳକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ବାରମ୍ବାର ଚେଷ୍ଟା କରିଆସିଛି । ଏଥିପାଇଁ ତାଜା ସ୍ଥିତିରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ତେବେ ସ୍ୱାଧିନତା ଦିବସର ମାତ୍ର କେଇ ଘଣ୍ଟା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ ଓଡିଆ ଫଳକ ଲଗାଇଛି ଓଡିଶା ସରକାର ।

କୋଟିଆ ପଂଚାୟତର ୨୧ଟି ବିବାଦୀୟ ଗାଁରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଲାଗିଛି ଓଡିଆ ଫଳକ । ଆସନ୍ତାକାଲି ସମସ୍ତ ୨୧ଟି ଗାଁରେ ସ୍ୱାଧିନତା ଦିବସ ପାଳନ ହେବ । ଏ ନେଇ ଜିଲ୍ଲା ପ୍ରଶାସନ ଆଜିଠୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । କୋଟିଆ ଅଂଚଳରେ ଥିବା ଖଣିଜ ସମ୍ପଦକୁ ହାତେଇବା ଲାଗି ଆନ୍ଧ୍ର ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ଲାଳସା ଦେଖାଇଆସିଛି । ଅନ୍ୟପଟେ ଓଡିଶା ସରକାର କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡିଛି ।

କୋଟିଆରେ ଓଡିଆ ଫଳକ ଲାଗିବା ପରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀଙ୍କ ସମେତ ରାଜନେତା ଚିନ୍ତାରେ ପଡିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଓଡିଆ ଫଳକ ଲଗାଯିବା ଘଟଣାକୁ ଆନ୍ଧ୍ର ପ୍ରଶାସନ କିଭଳି ପ୍ରତିକ୍ରିୟା ରଖୁଛି ।

Comments are closed.