ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ପାଇକଡାକୁଲୁଗୁଡ଼ାରେ ଏକ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ଚାରି ଜଣ ଛାତ୍ର ଗୁରୁତର ପୋଡ଼ି ହୋଇଯାଇଥିଲେ।
ଏହି ଘଟଣାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଚାରି ଜଣ ଶିକ୍ଷକଙ୍କୁ ନୋଟିସ୍ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସରକାରୀ ତଦନ୍ତ ସମାପ୍ତ ନ ହେବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ରହିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।
ତେବେ ଏହି ଘଟଣା ପରେ ଆହତ ଛାତ୍ରଙ୍କ ଅଭିଭାବକ ଏବଂ ସ୍ଥାନୀୟ ଲୋକମାନେ ସ୍କୁଲକୁ ଯାଇ କେଉଁ ପରିସ୍ଥିତିରେ ସ୍କୁଲ ପରିସରରେ ଏପରି ଘଟଣା ଘଟିଥିଲା ତାହା ଜାଣିବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ସ୍କୁଲ ଏବଂ ଆଖପାଖ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ସହ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ମଧ୍ୟ ଦେଇଥିଲେ। ପୂର୍ବରୁ ସ୍କୁଲ ପ୍ରଧାନ ଶିକ୍ଷକ ଏହି ଘଟଣା ସମ୍ପର୍କରେ ମୁନିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ହସ୍ପିଟାଲରେ ଆହତ ଛାତ୍ରମାନଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଥିଲା।