ଭୁବନେଶ୍ୱର: ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲେ ଓଡ଼ିଶା ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ହେଲ୍ପଲାଇନ ନମ୍ବର ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ତେବେ କାଲି ପାକିସ୍ତାନର ଡ୍ରୋନ୍ ମାଡ଼ ପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏକ ସ୍ୱତନ୍ତ୍ର ଟିମ୍ ଏଥିପାଇଁ ଗଠନ ହୋଇଥିବା ବେଳେ ସ୍ବତନ୍ତ୍ର ଟିମର ବ୍ୟବସ୍ଥାରେ, ୫ଟି ଟିମ୍ କରି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ପିଲାଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ କିପରି ଓଡ଼ିଶା ଫେରାଇସ୍ନିବେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ସରକାର।
ତେବେ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୂର’ ଚଳାଇବା ପରେ ଭାରତ ଏବଂ ପାକ ମଧ୍ୟରେ ଉତ୍ତେଜନା ବଢିବା ପରେ ଦେଶ ଭିତରେ ହାଇ ଆଲର୍ଟ ଜାରି କରାଯାଉଛି। ଭାରତର କାର୍ଯ୍ୟାନୁଷ୍ଠାନ ପରେ, ପାକିସ୍ତାନ ଏଲଓସି ଏବଂ ଅନ୍ତର୍ଜାତୀୟ ସୀମା ଦେଇ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉଡ଼ାଣ କରିଥିବା ବେଳେ ସେନାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଏହାକୁ ବାଧା ଦିଆଯାଉଛି।
କାଲି ରାତି ପରେ ଆଜି ସକାଳୁ ସକାଳୁ ବି ପାକିସ୍ତାନ ଜମ୍ମୁ ଉପରେ ଡ୍ରୋନ ଆକ୍ରମଣ କରିଛି। ଏହାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଜମ୍ମୁ ଏବଂ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ ଲାଗୁ କରାଯାଇଛି, ଅନେକ ସହରରେ ସାଇରନ୍ ବାଜିଛି। ଏହି ସ୍ଥାନଗୁଡ଼ିକ ଉପରେ ରାତିର ଆକାଶରେ ଲାଲ ଝଲସ ଏବଂ ପ୍ରକ୍ଷେପଣୀୟ ଆଲୋକ ଦେଖାଦେଇଛି। ପାକ୍ ଅଧିକୃତ କାଶ୍ମୀରରେ ମଧ୍ୟ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି। ଜମ୍ମୁରେ ସ୍କୁଲ୍ କଲେଜ୍ ସବୁ ବନ୍ଦ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଲେହ ପ୍ରଶାସନ ଶୁକ୍ରବାର ଆସନ୍ତା ମେ ୯ ଏବଂ ୧୦ ରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ ନେଇ ଘୋଷଣା କରିଛି। ଗତକାଲି ରାତିରେ ପାକିସ୍ତାନ ଦ୍ୱାରା କ୍ଷେପଣାସ୍ତ୍ର ଏବଂ ଡ୍ରୋନର ପ୍ରବଳ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଜମ୍ମୁରେ ପହଞ୍ଚି ସଠିକ ପରିସ୍ଥିତି ସମୀକ୍ଷା କରିଛନ୍ତି।
ସେପଟେ ଜୈସଲମେରର ଏକ ହୋଟେଲ ପରିସରରେ ଏକ ଡ୍ରୋନର ଭଗ୍ନାବଶେଷ ମିଳିଛି। ଯାହାକୁ ନେଇ ରାଜସ୍ଥାନରେ ଯେକୌଣସି ପ୍ରକାରର ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଯାଇଛି। ଏଥିସହିତ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ବ୍ଲାକ୍ ଆଉଟ୍ ଘୋଷଣା କରାଯାଇଛି। ସଂଧ୍ୟା ୫ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ସହ ବ୍ଲାକ୍ ଆଉଟ ହେବା ଜୈସଲମେର।
ତେବେ କହିରଖୁଛୁ, ଅପରେସନ ସିନ୍ଦୂର ପରେ ଆକ୍ରମଣାତ୍ମକ ହୋଇଉଠିଛି ପାକିସ୍ତାନ। ଭାରତର ସାମରିକ, ଅଣସାମରିକ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି, ଯେତେବେଳେ କି ଭାରତ କେବଳ ଆତଙ୍କୀ ଆଡ୍ଡାକୁ ହିଁ ହମଲା କରିଥିଲା। କିନ୍ତୁ ଭୟଭୀତ ଥିବା ପାକିସ୍ତାନ ଦିଶାହିନ ଭାବେ ଆକ୍ରମଣ ଜାରି ରଖିଛି। ଗତକାଲି ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବଡ଼ ଧରଣର ପ୍ରତି-ଡ୍ରୋନ ଅଭିଯାନରେ ୫୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସମେତ ପ୍ରମୁଖ ଅଞ୍ଚଳରେ ଏହି ଅଭିଯାନ କରାଯାଇଥିଲା। ଏହି ପ୍ରତିକ୍ରିୟାରେ L-70 ବନ୍ଧୁକ, Zu-23mm ତୋପ, ଚିଲକା ସିଷ୍ଟମ ଏବଂ ଉନ୍ନତ ପ୍ରତି-ଅଣମାନବ ବାୟୁ ପ୍ରଣାଳୀ (UAS) ର ବ୍ୟାପକ ମୁତୟନ କରାଯାଇଥିଲା। ଏଥିସହିତ ଭାରତ ମଧ୍ୟ ଲଗାତାର ପାକିସ୍ତାନର ପ୍ରମୁଖ ସହର କରାଚି, ପିଣ୍ଡି, ଲାହୋରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି।
ପୂର୍ବରୁ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ନଅଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ଗଡ଼ ବାହାବଲପୁର ଏବଂ ଲସ୍କର-ଏ-ତୈବାର ମୁରିଦକେ ଘାଟି ଅନ୍ତର୍ଭୁକ୍ତ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅପରେସନ ସିନ୍ଦୂର ଅଧୀନରେ ଏହି ଆକ୍ରମଣ କରାଯାଇଥିଲା।
ସେପଟେ ପାକିସ୍ତାନର ଆର୍ଥିକ ମାନ୍ଦବସ୍ଥା ସାଙ୍ଗକୁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଅଭାବ ଏବେ ତା ଉପରେ ଦାଉ ସାଧୁଛି। ଭାରତ ତାର ଗୋଟେ ପରେ ଗୋଟେ ବଡ଼ ବଡ଼ ମିଶାଇଲକୁ ଧୂଳି ଚଟାଇବା ପରେ ଏବେ ବିଚଳିତ ହୋଇଛି ପାକ୍ ସେନା।
ପାକିସ୍ତାନ ବିଫଳ
ଗୁରୁବାର ଅପରାହ୍ନରେ, ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ସଶସ୍ତ୍ର ବାହିନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରି ଦେଶର ଉତ୍ତର ଏବଂ ପଶ୍ଚିମ ଭାଗର ୧୫ଟି ସହରରେ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିବାର ପାକିସ୍ତାନର ପ୍ରୟାସକୁ ବିଫଳ କରିଛି। ରାତିରେ, ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏକ ବିପଜ୍ଜନକ ସ୍ତରକୁ ବୃଦ୍ଧି କରିଛି। ଜମ୍ମୁ, ଉଧମପୁର, ଗୁରୁଦାସପୁର ଏବଂ ଚଣ୍ଡିଗଡ଼ ସମେତ ଅନେକ ସହରରେ ଆକ୍ରମଣ ଏବଂ ବ୍ଲାକଆଉଟ୍ ଦେଖିବାକୁ ମିଳିଛି।ଏହାର ଜବାବରେ, ଭାରତ ଲାହୋରରେ କାମିକାଜେ ଡ୍ରୋନ ଉନ୍ମୋଚନ କରିଥିଲା ଏବଂ ଏକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରିଥିଲା।
ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଭାରତୀୟ ସେନା ଶୁକ୍ରବାର ନିୟନ୍ତ୍ରଣ ରେଖା (LoC) ରେ ଭାରତୀୟ ଆକ୍ରମଣରେ ଏକ ପାକିସ୍ତାନୀ ସାମରିକ ପୋଷ୍ଟ ଧ୍ୱଂସ ହେବାର ପ୍ରଥମ ଦୃଶ୍ୟ ସେୟାର କରିଛି। ସେନା କହିଛି ଯେ ଏହା ଉଭୟ ଦେଶ ମଧ୍ୟରେ ପୂର୍ଣ୍ଣ ସାମରିକ ସଂଘର୍ଷର ଆଶଙ୍କା ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ପଶ୍ଚିମ ସୀମାରେ ପାକିସ୍ତାନୀ ସୈନ୍ୟଙ୍କ ଦ୍ୱାରା ରାତାରାତି ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରଭାବଶାଳୀ ଭାବରେ ପ୍ରତିହତ କରିଛି। ଏଥିସହିତ ଏହା ମଧ୍ୟ କହିଛି ଯେ ଅପରେସନ ସିନ୍ଦୁର ଅଧୀନରେ ନିୟନ୍ତ୍ରଣ ରେଖା (LoC) ରେ ପାକିସ୍ତାନୀ ସଶସ୍ତ୍ର ବାହିନୀ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନର ଉପଯୁକ୍ତ ଜବାବ ଦେଇଛି। ଯେଉଁଥିରେ ୭ ଆତଙ୍କବାଦଙ୍କ ଜୀବନ ଯାଇଛି। ସାମ୍ବାରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି ବିଏସଏଫ୍ ଯବାନ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଆତଙ୍କବାଦୀଙ୍କୁ ନିହତ କରିଛି।
Comments are closed.