Latest Odisha News

୨୦୨୪ ବର୍ଷ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଛୁଟି ତାଲିକା, ମିଳିବ ୩୦ଟି ସରକାରୀ ଛୁଟି

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି କରିଛନ୍ତି। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ ୩୦ଟି ସରକାରୀ ଛୁଟି ରହିଛି। ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା ଜାରି ହୋଇଛି।

ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଓ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି। କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ନିଜ ସୁବିଧା ଅନୁସାରେ ଗୋଟିଏ ଦିନ ଛୁଟି ନେଇପାରିବେ। ବିଭାଗୀୟ ମୁଖ୍ୟଙ୍କଠାରୁ ଆବଶ୍ୟକୀୟ ଅନୁମତି ନେଇ ଏହି ଛୁଟି ନେଇପାରିବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଜାନୁଆରୀ ୧୭ରେ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁୟାରୀ ୨୫ରେ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ରେ ଇଷ୍ଟର ଶନିବାର, ମେ’ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା ଓ ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ସରକାର ଘୋଷଣା କରିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାର କର୍ମଚାରୀମାନଙ୍କୁ ୪୬ଟି ରବିବାର ଓ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଭାବେ ଛୁଟିଦିନ ଦେଇଛନ୍ତି। ଅର୍ଥାତ୍ ସରକାରୀ କର୍ମଚାରୀଙ୍କୁ ମୋଟ ଉପରେ ୩୦ଟି ସରକାରୀ ଛୁଟିଦିନ, ଗୋଟିଏ ଇଚ୍ଛାଧୀନ ଛୁଟି ସମେତ ରବିବାର ଓ ଶନିବାର(ଦ୍ୱିତୀୟ ଓ ଚତୁର୍ଥ)ରେ ୬୮ଟି ଛୁଟିଦିନ ମିଶାଇ ମୋଟ ଉପରେ ୨୦୨୪ରେ ୯୯ଟି ଛୁଟିଦିନ ମିଳିବ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅନ୍ୟ ଏକ ବିଜ୍ଞପ୍ତିରେ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ନିମନ୍ତେ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି।

Comments are closed.