ଭୁବନେଶ୍ବର: ସରକାରୀ ସେବା ପ୍ରଦାନରେ ବିଳମ୍ବ କଲେ ଏଣିକି ତଣ୍ଡ ଗଣିବେ ସମ୍ପୃକ୍ତ ଅଫିସର। ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ନଦେଲେ ସମ୍ପୃକ୍ତ ଦାୟୀ ଅଧିକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ । ଏହି ଜରିମାନା ଅଧିକାରୀଙ୍କ ଦରମାରୁ କାଟି ନିଆଯିବ ।
ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସେବାଗୁଡ଼ିକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ସରକାର ‘ଅଟୋ-ଅପିଲ୍ ସିଷ୍ଟମ୍’ ଲାଗୁ କରିଛନ୍ତି। ଏହାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗ ନୂଆ ଗାଇଡ୍ଲାଇନ୍ (SOP) ଜାରି କରିଛି ।
ନୂଆ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଳମ୍ବ କଲେ ଦାୟୀ ଅଧିକାରୀଙ୍କ ଉପରେ ଆର୍ଥିକ ଜରିମାନା ଲାଗିବ। ବିଳମ୍ବର ପ୍ରତିଦିନ ପାଇଁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ବିଶେଷ କଥା ହେଉଛି, ଏହି ଜରିମାନା ଅର୍ଥ ସମ୍ପୃକ୍ତ ଅଧିକାରୀଙ୍କ HRMS ଓ ଟ୍ରେଜେରୀ ସିଷ୍ଟମ୍ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବ। ଏହି ନୂଆ SOP ସମ୍ପର୍କରେ ସମସ୍ତ ବିଭାଗକୁ ଅବଗତ କରାଯାଇଛି।
ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସେବା ପାଇବାରେ ଲୋକଙ୍କୁ ଅଯଥା ବିଳମ୍ବର ସମ୍ମୁଖୀନ ହେବାକୁ ନଦେବା। ଏଥିସହିତ ସେବା ପ୍ରଦାନରେ ଅଧିକାରୀମାନଙ୍କ ଦାୟିତ୍ୱବୋଧ ବଢ଼ାଇବା ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ ଜନମୁଖୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

