Latest Odisha News

ହସ୍ପିଟାଲରେ ଅଗ୍ନି ସୁରକ୍ଷା ଅଡିଟ୍ ପାଇଁ ଟାସ୍କଫୋର୍ସ ଗଠନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଏବେ ଏହିପରି ଘଟଣାର ଯେପରି ପୁନରାବୃତି ନହୁଏ ଏଥିପ୍ରତି ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ସମସ୍ତ ମହାନଗର ନିଗମ ଓ ଜିଲ୍ଲାରେ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମହାନଗର ନିଗମ ଏବଂ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଗୃହ ବିଭାଗର ଅଧିକାରୀ ଏବଂ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କୁ ନେଇ ଏକ ଯୁଗ୍ମ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟାସ୍କଫୋର୍ସ ନିଜ ଅଧୀନରେ ଥିବା ସମସ୍ତ ଡାକ୍ତରଖାନା ଓ ନର୍ସିଂହୋମରେ ଅଗ୍ନି ଓ ବିଦ୍ୟୁତ୍ ନିରାପତ୍ତାର ନିୟମିତ ଅଡିଟ୍ କରିବ।

ମହାନଗର ନିଗମ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ପାଇଁ ଟାସ୍କଫୋର୍ସରେ ମହାନଗର ନିଗମ କମିଶନର ଅଧ୍ୟକ୍ଷ, ପୋଲିସ ଏସପି/ଡିଏସପି।ସେହିପରି ଜିଲ୍ଲା ଗୁଡ଼ିକ ପାଇଁ ଏହି ଟାସ୍କଫୋର୍ସରେ ଜିଲ୍ଲାପାଳ ଅଧ୍ୟକ୍ଷ, ସୁରକ୍ଷା ଅଧୀକ୍ଷକ, ସିଡିଏମଓ, ସହକାରୀ ଅଗ୍ନିଶମ ଅଧିକାରୀ ଓ ଅଧୀକ୍ଷକ ଯନ୍ତ୍ରୀ-ବା ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସଦସ୍ୟ ରହିବେ।

ନିଗମ ଓ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ ଓ ନର୍ସିଂର ଏକ ତାଲିକା ପ୍ରଦାନ କରିବ। ଟାସ୍କଫୋର୍ସ ନିୟମିତ ଅଡିଟ୍ କରିବା ସହ ଏହାର ରେକର୍ଡ ରଖିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କଟକ ସହରର ଦୁଇଟି ଘରୋଇ ହସ୍ପିଟାଲରେ ଶନିବାର ଅଗ୍ନିକାଣ୍ଡ ଘଟିବା ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.