ଭୁବନେଶ୍ୱର: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ ତଥା ଯୋଜନାର ପରିଚାଳନାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ଏବେ ଓଡିଶା ସରକାର ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିବା ପାଇଁ ଯୋଜନା କରୁଛନ୍ତି ।
ଏନେଇ ସ୍ୱତନ୍ତ୍ର ସଚିବ, ଅର୍ଥ, ପିକେ ବିଶ୍ୱାଳ, ଅତିରିକ୍ତ ମୁଖ୍ୟ ସଚିବ ଏବଂ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।
ଅଧିକାରୀଙ୍କ ସୂଚନାନୁଯାୟୀ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାର ବିସ୍ତୃତ ରିପୋର୍ଟ ମିଳିବା ପରେ ଆଧାର ଲିଙ୍କ୍ କରିବା ଲାଗି ବିଜ୍ଞପ୍ତି ପ୍ରକାଶ କରାଯିବ । ଯାହାଦ୍ୱାରା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରାଯାଇପାରିବ ।
ଏହାବ୍ୟତିତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ୪୪ଟି ଯୋଜନା ମଧ୍ୟରୁ କେବଳ ୧୦ଟିରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥରାଶି ଜମା କରାଯାଉଛି । ଏହି ଯୋଜନା ଦ୍ୱାରା ନକଲି ତଥା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇପାରିବାର ସମ୍ଭାବନା ରହିଛି ।
ବିଶେଷତଃ ରାଜ୍ୟ ଗୁଡିକରେ ସାମାଜିକ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ କରାଇବା ଲାଗି କେନ୍ଦ୍ର ପକ୍ଷରୁ ପ୍ରଥମେ ଚିଠି ଲେଖାଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଖାଦ୍ୟସୁରକ୍ଷା ଯୋଜନାରେ ଲାଗୁ କରିବା ପରେ ପାଖାପାଖି ୧୯ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା ।
Comments are closed.