Latest Odisha News

୫୮ଟି ସବ-ଡିଭିଜନରେ ହେବ କୋଲ୍ଡ ଷ୍ଟୋର୍: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମ‌ୋହନ ମାଝି। ପିଏମ. କିସାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ କରାଯିବ। ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି ବ‌ୋଲି ସେ ପ୍ରକାଶ କରିଛନ୍ତି।

ସେହିପରି ପ୍ରଥମେ ୫୮ଟି ସବ୍ ଡିଭିଜନରେ କ‌ୋଲ୍ଡ ଷ୍ଟ‌ୋର୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ କ‌ୋଲ୍ଡ ଷ୍ଟ‌ୋର୍ ହେବା ଦ୍ବାରା ସବୁ ଅଞ୍ଚଳର ଚାଷୀ ମାନେ ଲାଭବାନ ହୋଇପାରିବେ। ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି। ଏଥିରେ ଚାଷୀ ମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ ବ‌ୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ କୃଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ। ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ। ଏହି ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲ‌େ।

Comments are closed.