Latest Odisha News

ଥୁଆମୁଳ-ରାମପୁରରେ ଯୁକ୍ତ ୩ ଡିଗ୍ରୀ କଲେଜ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଂଜିନିଅର ମାନଙ୍କ ସହ ଆଲୋଚନା କରିଥିଲେ । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ  । ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

 

କଳାହାଣ୍ଡିରେ ଜଳସେଚନର ବିକାଶ ପାଇଁ ହାତୀ ନଦୀର ଉଭୟ ପାର୍ଶ୍ୱରେ ଅଧିକ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କରିବାପାଇଁ ପାଣ୍ଡିଆନ ଜଳସଂପଦ ବିଭାଗର ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ସର୍ଭେ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସମସ୍ତଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏ ଅଞ୍ଚଳରେ ଆଶାର ଆଲୋକ ଆଣିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

 

ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ଏବଂ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ  ଖର୍ଚ୍ଚ  ଏକ ଆକଳନ କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

 

କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କଲମପୁର, ଆମପାଣି, ଧରମଗଡ ଓ ଥୁଆମୁଳ-ରାମପୁର ଆଦି ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ବ୍ଳକ୍‌ ମୁଖ୍ୟାଳୟ ଅଞ୍ଚଳରେ ଖେଳ ପଡିଆର ବିକାଶ କରାଯିବା ସହିତ ବିଭିନ୍ନ କ୍ରୀଡା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଏହାଦ୍ୱାରା ଏ ଅଞ୍ଚଳ ଗୁଡିକରେ ଯୁବକଯୁବତୀ ମାନଙ୍କ ପାଇଁ କ୍ରୀଡା କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ପାଣ୍ଡିଆନ କହିଛନ୍ତି । ଏହାପରେ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ ।
ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା  ଦେଇଥିଲେ ଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅର ମାନଙ୍କୁ  ପରାମର୍ଶ ଦେଇଥିଲେ ।

 

ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡି ଠାରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ । ଏଥିପାଇଁ ଏକ ମାସ ମଧ୍ୟରେ DPR ପ୍ରସ୍ତୁତ  କରିବା ପାଇଁ ପରାମର୍ଶ ଦେଇଥିଲେ । ଡୋକ୍ରିଚାଞ୍ଚରା ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

 

ଧରମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ  ଦେଇଥିଲେ । ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଯଶୋଦା  ଆଶ୍ରମରେ ଡାଇନିଂ ହଲ୍, କମ୍ପ୍ୟୁଟର ରୁମ୍, ଲାଇବ୍ରେରୀ ଓ ପାର୍କର ବିକାଶ କରାଯିବ ।

 

ଧରମଗଡରେ ସବ୍‌ଡିଭିଜିନାଲ ହସ୍‌ପିଟାଲ ପରିଦର୍ଶନ କରି ପାଣ୍ଡିଆନ ସେଠାରେ ଚାଲିଥିବା ଆମ ହସ୍‌ପିଟାଲ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ । ରୋଗୀ ମାନଙ୍କ ସାମଗ୍ରିକ ସୁବିଧାକୁ ଦୃଷ୍ଟିରେ ରଖି ହସ୍‌ପିଟାଲ ବିକାଶ କରିବାକୁ ସେ ପରାମର୍ଶ ଦେଇଥିଲେ । 5T ସଚିବ ଯଶୋଦା ଆଶ୍ରମ  ଅନ୍ତେବାସୀଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ ।

Comments are closed.