Latest Odisha News

ପୁରୀରେ ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା: ଆଇନମନ୍ତ୍ରୀ

ପୁରୀ: ଚଳିତବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି। ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦରୁ ଏହା ସଫଳ ହୋଇଛି। ତେଣୁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା, ସେବାୟତ, ରଥ ସେବକ, ପ୍ରଶାସନିକ କର୍ମକର୍ତ୍ତା, ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ଧନ୍ୟବାଦର ପାତ୍ର ବୋଲି ଶ୍ରୀକ୍ଷେତ୍ର ସୂଚନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଆଜି ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଚତୁର୍ଥ ରଥସେବା ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚଳିତବର୍ଷର ରଥଯାତ୍ରା ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହିସହ ଆଗାମୀ ଦିନରେ ପୁରୀ ଏକ ଶ୍ରେଷ୍ଠ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେବ ବୋଲି କହିଥିଲେ।

ଆଗାମୀ ଦିନରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସହ ଶ୍ରୀମନ୍ଦିର ପ୍ରଶାସନ ସାମିଲ ହୋଇ ଆହୁରି ଭଲ ଭାବରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ କହିଛନ୍ତି ଆଇନମନ୍ତ୍ରୀ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରଥନିର୍ମାଣ ବିଶ୍ୱକର୍ମାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଇନ ମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି। ପୂର୍ବରୁ ରତ୍ନଭଣ୍ଡାରରୁ ଖାଲି ବାକ୍ସ, ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆର୍‌ଏସ୍‌ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଆଗାମୀ ଦିନରେ ପୁରୀରେ ଏକ ବଡ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପିଟିସନ ସେଣ୍ଟର) ଖୋଲାଯିବା ନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହା ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରାଯିବ । ମହାପ୍ରଭୁଙ୍କ ବିଭିନ୍ନ ବେଶ, ନୀତିକାନ୍ତି, ବ୍ୟବସ୍ଥାବଳି, ନିତି ନିୟମ, ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ । ଏହାଦ୍ବାରା ଅନେକ ଅନ୍ୟ ଧର୍ମର ବ୍ୟକ୍ତିବିଶେଷ ଯେଉଁମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ଜାଣି ପାରିବେ । ସେମାନେ ଏହି ବ୍ୟାଖ୍ୟାନ କେନ୍ଦ୍ରକୁ ଯାଇ ଏକ ସମ୍ପୂର୍ଣ୍ଣ ତଥ୍ୟ ପାଇ ପାରିବେ । ପୁରୀକୁ ସାରା ଭାରତରେ ଏକ ନମ୍ୱର ତୀର୍ଥସ୍ଥଳୀ ଭାବେ ବିକଶିତ କରିବା ପାଇଁ ଯାହା ଦରକାର୍ ତାହା ରାଜ୍ୟ ସରକାର କରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ।

Comments are closed.