ଭୁବନେଶ୍ୱର: ଫ୍ରଣ୍ଟିୟର ମିଡିଆ ଗ୍ରୁପର ଇଂରାଜୀ ଓ୍ୱେବସାଇଟ୍ odishabytes.comର ବଡ଼ ପ୍ରଭାବ । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ସ୍କୁଲ ଖେଳ ପଡ଼ିଆର କିଛି ଅଂଶକୁ ଆଇଏଏସ୍ ଅଫିସର୍ସ ଆସୋସିଏସନକୁ ଟେକି ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ସଂପୃକ୍ତ ଜାଗାରେ ଟ୍ରାନଜିଟ୍ ହାଉସ୍ ନିର୍ମାଣ ପାଇଁ ଆଇଏଏସ୍ ଅଫିସର୍ସ ଆସୋସିଏସନକୁ ଅନୁମତି ମିଳିଥିଲା । ୟୁନିଟ୍-୬ ଅଞ୍ଚଳରେ ଥିବା ସ୍କୁଲ ଓ ଖେଳ ପଡ଼ିଆରୁ ୧.୫ ଏକର ଆବଣ୍ଟନକୁ ରଦ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏସମ୍ପର୍କିତ ଖବର ପ୍ରକାଶ ପାଇବା ଓ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ସରକାର ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଛନ୍ତି । ସରକାରୀ ବାଳକ ଓ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ, ଓଡ଼ିଶା ଅଭିଭାବକ ମହାସଂଘ ସମେତ ବିଭିନ୍ନ ମହଲରୁ ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରାଯାଇଥିଲା ।
ଗଙ୍ଗନଗରଠାରେ ଥିବା ଘରବାଡ଼ି କିସମ ଜମିକୁ ଆଇଏଏସ୍ ଅଫିସର୍ସ ସଂଘକୁ ଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କିତ ଖବର ମେ ୨୪ ତାରିଖରେ ଫ୍ରଣ୍ଟିୟର ମିଡିଆ ଗ୍ରୁପର ଇଂରାଜୀ ଓ୍ୱେବସାଇଟ୍ odishabytes.com ପ୍ରଥମେ ପ୍ରକାଶ କରିଥିଲା । ସଂପୃକ୍ତ ଜମିକୁ ସରକାର ଅବ୍ୟବହୃତ ଦର୍ଶାଇ ଆଇଏଏସ୍ ଅଫିସର୍ସ ସଂଘ ହାତକୁ ଟେକି ଦେଉଥିଲେ ।
ପୂର୍ବରୁ ୨୦୧୯ରେ ଶିଶୁ ଭବନ ଅଞ୍ଚଳରେ ଆଇଏଏସ୍ ଅଫିସର୍ସ ସଂଘକୁ ରାଜ୍ୟ ସରକାର ଜମି ସହ ଏକ ବିଲଡିଂ ଆବଣ୍ଟିତ କରିଥିଲେ । ଏବେ ପୁଣି ସ୍କୁଲ ଖେଳ ପଡ଼ିଆର ଜମିକୁ ଦିଆଯିବା ନିଷ୍ପତ୍ତିକୁ ନେଇ ଉଠିଥିଲା ବଡ଼ ପ୍ରଶ୍ନବାଚୀ । କାହିଁକି ଏମିତି ନିଷ୍ପତ୍ତି ନିଆଯାଇଥିଲା ? ଆଇଏଏସ୍ ଅଫିସର୍ସ ଆସୋସିଏସନ୍ ଜମିରେ କଣ କରିବ ବୋଲି ପ୍ରଶ୍ନ ବି ଉଠିଥିଲା ।
ଏକ ବେସରକାରୀ ସଂସ୍ଥା ଥିବା ଆଇଏଏସ୍ ଅଫିସର୍ସ ସଂଘକୁ ସ୍କୁଲର ଜମି ଟେକି ଦେଇ ସେଠାରେ ଅଧିକାରୀଙ୍କ ରହଣି ପାଇଁ କୋଠା ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସରକାର ବି ଗ୍ରହଣ କରିଥିଲେ । ଏସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ସଞ୍ଜୀବ ଚୋପ୍ରାଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ଏପରିକି ଓଡ଼ିଶା ଆଇଏଏସ୍ ଅଫିସର୍ସ ସଂଘ ବି ପ୍ରତିକ୍ରିୟା ଦେଇ ନାହିଁ ।
Comments are closed.