Latest Odisha News

BREAKING NEWS

ଏଜେଣ୍ଟ ୪୨୦; SHG ସହ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଯାଜପୁର: ଜଣେ ମହିଳା ଶହ ଶହ ମହିଳାଙ୍କୁ ଠକି ଛନ୍ତି । ଝାଳବୁହା ଧନକୁ ନକଲି ରସିଦ୍ ଦେଇ ନେଇ ଯାଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ପ୍ରାୟ ୮୦ରୁ ଅଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଅନେକ ଗରିବ ଲୋକ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି । କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କୋଅର୍ଡିନେଟର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ହଜାର ହଜାର ଲୋକଙ୍କୁ ଚୂନ ଲଗାଇଛନ୍ତି ।

ଏଜେଣ୍ଟଙ୍କ ମାଧ୍ୟମରେ ଋଣ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପରିଶୋଧ କରି ସାରିଥିବା ବେଳେ ବ୍ୟାଙ୍କ ଖାତାରେ ଗଡ଼ୁଛି ଲକ୍ଷାଧିକ ଟଙ୍କାର ଋଣ ବକେୟା । ଠକାମୀର ଶିକାର ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ପ୍ରତିବାଦ କରିବା ସହ ଏନେଇ ଥାନାରେ ଏତଲା ଦେଇଛନ୍ତି ।ଏସଏଚଜି ସହ ଏଜେଣ୍ଟ ପଞ୍ଚାୟତର ବିଭିନ୍ନ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । କାହାର ଫିକ୍ସଡ ଡିପୋଜିଟ ଟଙ୍କା ତ ଆଉ କାହାର ଋଣ ପରିଶୋଧ ଅର୍ଥ ।

ଏଭଳି ଭାବେ ଲକ୍ଷାଧିକ ଟଙ୍କା ହଡ଼ପ ପରେ ମହିଳା ଏଜେଣ୍ଟ ଜଣଙ୍କ ଫେରାର୍ ହୋଇ ଯାଇଛନ୍ତି । କଲାଣ୍ଡ ଗାଁର ମାଧବାନନ୍ଦ ମହିଳା ଏଜେଣ୍ଟକୁ ୫୦ ହଜାର ଟଙ୍କା ସ୍ଥାୟୀ ଜମା ପାଇଁ ଦେଇ ଠକାମୀରେ ପଡ଼ିଛନ୍ତି । ୧୦ ବର୍ଷରେ ଟଙ୍କା ଡବଲ୍ ହେବା ଆଶା ଦେଖାଇ ଥିଲେ ମହିଳା ଏଜେଣ୍ଟ ଜଣଙ୍କ । ଏନେଇ ଏକ ରସିଦ ବି ମାଧବାନନ୍ଦଙ୍କୁ ଦେଇଥିଲେ । ହେଲେ ବ୍ୟାଙ୍କରେ ମାଧବାନନ୍ଦ ଏହି ରସିଦ୍ ଦେଖାଇବା ପରେ ତାହା ନକଲି ବୋଲି ଜଣାପଡ଼ିଛି ।

କବାଟବନ୍ଧ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳିକା ଠକେଇ ନେଇ ସବୁ ଜାଣିଥିବା ବେଳେ କ୍ୟାମେରା ଆଗରେ ମୁହଁ ଖୋଲି ନାହାଁନ୍ତି । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୪୨୦ ମହିଳା ଏଜେଣ୍ଟଙ୍କ ସହ ଏହି ଠକେଇରେ ଆଉ କିଏ ସାମିଲ୍ ? ବ୍ୟାଙ୍କର କୌଣସି ଅଧିକାରୀ ଏଥିରେ ସମ୍ପୃକ୍ତ ନାହାନ୍ତି ତ ? ଠକେଇ ନେଇ ସବୁ ଜାଣିବା ପରେ ବି କାହିଁକି ଚୁପ୍ ବସିଛନ୍ତି କର୍ତ୍ତୃପକ୍ଷ ? ଏବେ ଏମିତି ଅନେକ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.