Latest Odisha News

ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏବେ ସୋସିଆଲ ମିଡିଆରେ ଚାଲିଛି ବାକ୍ ଯୁଦ୍ଧ। ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି ସସ୍ମିତ ପାତ୍ରଙ୍କୁ ଦେଇଛନ୍ତି ଉତ୍ତର। ସେ କହିଛନ୍ତି, ବିଜେଡ଼ି ପ୍ରବକ୍ତାଙ୍କର ମିଛୁଆ ରାଧୁଆ ଭଳି ଅବସ୍ଥା ହେବ। ସେ ଏତେ ମିଛ କହିଲେଣି ଯେ, ଆଗକୁ ସତ କହିଲେ ବି କେହି ବିଶ୍ୱାସ କରିବେ ନାହିଁ। କେବଳ ନିଜର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ସେ କପୋଳକଳ୍ପିତ ଗଳ୍ପ କହୁଛନ୍ତି ଓ ପାଗଳର ପ୍ରଳାପ କରୁଛନ୍ତି। ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାହାକୁ ସାରା ଓଡ଼ିଶା ଦେଖୁଛି।

ହରିଚନ୍ଦନ ଟ୍ୱିଟ୍ କରିଛନ୍ତି ଯେ ଆପଣ ତ ସେହି ଗୋଟିଏ ଲାଉର ମଞ୍ଜି, ସବୁ ସତ ଜାଣିଲା ପରେ ବି ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ଆମେ ଆପଣଙ୍କ ଅବସ୍ଥା କଣ ବୁଝିପାରୁଛୁ। ଆଜି ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଯେଉଁ କଥା କହିଛନ୍ତି ଆପଣ ଥରେ ନିଜ ମନକୁ ପଚାରନ୍ତୁ। ସେ ଠିକ୍ କହିଲେ ନା ଭୁଲ କହିଲେ?

ଆପଣଙ୍କ ଦଳ ଯାହାଙ୍କୁ ପାର୍ଟିରୁ ସସପେଣ୍ଡ କରେ, ତାଙ୍କୁ ପରେ ଦଳରେ ରଖେ। ଆପଣଙ୍କ ଦଳର ଆଇଟି ସେଲର ପିଲାମାନେ ପଇସା ଖାଇ ଧରା ପଡୁଛନ୍ତି। ଏହାର ଅନେକ ଉଦାହରଣ ରହିଛି। ଏହା କ’ଣ ଆପଣଙ୍କ ଦଳର ଆଭିମୁଖ୍ୟ? ଆପଣ ବିଜେଡି ହିଂସାକୁ ପ୍ରଶୟ ଦେଉନଥିବା କଥା କହୁଛି। ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଆନ୍ତି, ତାହାକୁ ସାରା ଓଡ଼ିଶା ଦେଖୁଛି। ମାହାଙ୍ଗା ଡବଲ ମର୍ଡର ସହିତ ନିକଟରେ ସେହି ଅଞ୍ଚଳରେ ଛାତ୍ରୀ ମୃତ୍ୟୁ ଉପରେ ଆପଣ କଣ କହିବେ? କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ, ଯାଜପୁରର ପିହୁ, ନୟାଗଡର ପରୀ ନିଖୋଜର ସତ୍ୟାସତ୍ୟ କଣ? ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଦିବାଲୋକରେ ହତ୍ୟା ହେଲା? ଏହି ଘଟଣାରେ ସତ କଣ, ତାହା ଆଜି ବି ଅନ୍ଧାରରେ। ଏନସିଆରବି ରିପୋର୍ଟ ଅନୁସାରେ ମହିଳା ନିର୍ଯ୍ୟାତନାରେ ଓଡ଼ିଶା ପ୍ରଥମରେ ଅଛି। ଆପଣଙ୍କ ଦଳର ନେତାମାନେ ମଧ୍ୟ ଏଭଳି ଅପରାଧୀକ ହିଂସାରେ ସମ୍ପୃକ୍ତି ଅଛନ୍ତି।

ଆପଣଙ୍କୁ କଣ କହିବା? ଆପଣଙ୍କ ଚରିତ୍ର ଏହିଭଳି। ଯେତେବେଳେ ଯାହାର ଖାଆନ୍ତି, ତା’ ପାଇଁ ସେତେବେଳେ ଗୁଣଗାନ କରନ୍ତି। ଆପଣ ୨୦୧୩ ମସିହା ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ବୋଲି କହିଥିଲେ। ଆପଣ ଜଣେ ପେଶାଦାର ପ୍ରବକ୍ତା ଭଳି ଭୂମିକା ନିର୍ବାହ କରୁଛନ୍ତି। ହନୁ ମଲା ବେଳେ ସତ କହିବା ଭଳି ଆପଣ ମଧ୍ୟ ନିଜର ରାଜନୈତିକ କ୍ୟାରିୟରର ଶେଷ ପର୍ଯ୍ୟାୟରେ ସତ କହିଲେ ଭଲ ହେବ। ସତ କହିଲେ ହିଁ ଲୋକ ଗ୍ରହଣ କରିବେ। ମିଛ ନୁହେଁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସତ କହିବାକୁ ସାହସ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଟ୍ୱିଟ୍ କରିଛନ୍ତି।

Comments are closed.