Latest Odisha News

ରାଜଧାନୀରେ ଗଛ କଟାକୁ ନେଇ ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛ କଟା ପ୍ରସଙ୍ଗରେ ରିପୋର୍ଟ ଦେବେ ସରକାର । ଗୁରୁବାର ହାଇକୋର୍ଟ ଏହି ପ୍ରସଙ୍ଗରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ କ୍ୱାଟର୍ସ ନିର୍ମାଣ, ଗଛ କଟା, ବୃକ୍ଷରୋପଣ ସମେତ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ଉଲ୍ଲେଖ କରି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୭ ତାରିଖରେ ଧାର୍ୟ୍ୟ ହୋଇଇଛି।

ଓଡ଼ିଶା ହାଇକୋର୍ଟରେ ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଦାୟର ହୋଇଛି ଏହି ଜନସ୍ୱାର୍ଥ ମାମଲା । କୋର୍ଟ ଗଛ କାଟିବାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ କୁହାଯାଇଥିଲା।

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରୁ କମିଶନରେଟ୍ ପୋଲିସ ମୁଖ୍ୟାଳୟ ଯାଏ ରାସ୍ତାରେ ଥିବା ଗଛକୁ କାଟି ବିଧାୟକଙ୍କ ପାଇଁ ବହୁତଳ କୋଠାର ରାସ୍ତା ତିଆରି କରିବାକୁ ପ୍ରତିବାଦ କରି ସ୍କୁଲ ଛାତ୍ରଛାତ୍ରୀମାନେ ପେଟିଂ କାର୍ୟ୍ୟକ୍ରମେ କରିଥିଲେ।

ସୂଚନାଯୋଗ୍ୟ, ପ୍ରାୟ ୩୦୦ କ୍ୱାଟର୍ସ, ବଗିଚା, ଜିମ୍, ବିଶ୍ରାମାଗାର, ପାର୍କିଂ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ଥିବା ବିଧାୟକଙ୍କ ଏହି ବହୁ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୨୭୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ୨୦୨୪ ମସିହା ଶେଷ ସୁଦ୍ଧା ଏହି କାମ ଶେଷହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.