Latest Odisha News

BREAKING NEWS

କାଲିମେଳାରେ ପ୍ରବଳ ବର୍ଷା: ପୋଲ ଉପରେ ୬ଫୁଟ ବନ୍ୟା ଜଳ

ମାଲକାନଗିରି : ମାଲକାନଗିରି  ଜିଲ୍ଲା କାଲିମେଳା ଵ୍ଲକରେ ପ୍ରବଳ ବର୍ଷା ଜାରି ରହିଛି। ଏଠାରେ ଲଗାଣ ବର୍ଷାରେ ମୋଟୁ ଚିନ୍ତୁର ଜାତୀୟ ରାଜପଥ ପାଣିରେ ବୁଡ଼ିଯାଇଛି। ମୋଟୁ- ଚିନ୍ତୁର ମଝିରେ ଥିବା କୁଇଗୁର ପୋଲ ଉପରେ ପାଖାପାଖି ୬ଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ଚିନ୍ତୁର ଠାରୁ ଭଦ୍ରାଞ୍ଚଳମ ଯାଇଥିବା ମୁଖ୍ୟ ରାସ୍ତାର ନିଲିପକା ନିକଟରେ ମଧ୍ୟ ପୋଲ ବନ୍ୟା ପାଣିରେ ବୁଡ଼ି ଯାଇଛି। ଏହାଫଳରେ ମାଲକାନଗିରିରୁ ଆନ୍ଧ୍ର ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି। ଉଭୟ ପଟେ ବହୁ ଦୂରଗାମୀ ବସ ଓ ଟ୍ରକ ଅଟକି ରହିଛି ।

ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲୁ ଥିବାରୁ ନଦୀର ପଛୁଆ ଜଳରେ ଏହି ରାସ୍ତା ସବୁ ବୁଡ଼ି ଯାଇଥିବାର ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଗୋଦାବରୀ ନଦୀ ଦ୍ୱିତୀୟ ବିପଦ ସଙ୍କେତ ଉପରେ ରହିଛି। ମାଲକାନଗିରି ଜିଲ୍ଲାର ଛୋଟ ବଡ଼ ନଦୀ ଗୁଡିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି।

ଏଣେ ଗତ ତିନିଦିନ ହେଲା ବଣ୍ଡାଘାଟିରେ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ବଣ୍ଡାଘାଟିରେ କଚ୍ଚା ରାସ୍ତାଗୁଡିକ ଖରାପ ହେବା ଯୋଗୁଁ ଯିବା ଆସିବା ସମ୍ଭବପର ହୋଇ ପାରୁନଥିବା ଜଣାପଡିଛି। ତେବେ ବିଶେଷ କ୍ଷତି ହୋଇଛି ଅଣ୍ଡ୍ରାହାଲ ଠାରୁ କୋରାପୁଟ ଜିଲ୍ଲାର ଅନକାଡେଲିକୁ ଯାଉଥିବା ରାସ୍ତାରେ ଥିବା ବ୍ରିଜ।ଏହି ବ୍ରିଜଟି ଭାଙ୍ଗିଯିବାରୁ ଏହି ରାସ୍ତାରେ ଆଉ ଲୋକେ ଯିବା ଆସିବା ବିପଦପୂର୍ଣ୍ଣ ବୋଲି କହିଛନ୍ତି। ପ୍ରତି ସପ୍ତାହରେ ବଣ୍ଡାଘାଟିରେ ଶହଶହ ମହିଳା ପୁରୁଷ ସାପ୍ତାହିକ ହାଟ ସହ ବିଭିନ୍ନ ଅତ୍ୟାବଶକୀୟ ଜିନିଷ କିଣିବାକୁ ଅନକାଡେଲିକୁ ଯାଇଥାନ୍ତି।

Comments are closed.