Latest Odisha News

BREAKING NEWS

ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ’ ଆନ୍ଦୋଳନ

କଟକ: ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକ ସୋମବାର ଦିନ ବାର୍ ଆସୋସିଏସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାର୍ ଆସୋସିଏସନ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ହାଇକୋର୍ଟରେ କଲେଜିୟମ ମାଧ୍ୟମରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଅଦ୍ୟାବଧି ଚାଲୁରହିଥିବା ଆନ୍ଦୋଳନ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବାର୍ ଆସୋସିଏସନ ତାହାର ଦାବି ଗୁଡ଼ିକ ନେଇ ଖୁବ୍ ଶିଘ୍ର କେନ୍ଦ୍ର ସରକାରଙ୍କ ଆଇନମନ୍ତ୍ରୀଙ୍କୁ ଭେଟିବ ବୋଲି ସୂଚନା ସୂଚନା ମିଳିଛି ।

ଅପରପକ୍ଷରେ ସୋମବାର ଦିନ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟର ବାର୍ ଆସୋସିଏସନଗୁଡ଼ିକର ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ସମସ୍ତ ୧୪ ଜଣ ବିଚାରପତି ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଆଇନଜୀବୀମାନଙ୍କୁ ଅଦାଲତର ନୋଟିସ ପୂର୍ବରୁ ଜାରି କରାଯାଇଥିଲା ଏବଂ ସେମାନଙ୍କୁ ଏହି ନୋଟିସର ଜବାବ ରଖିବାକୁ ଅଦାଲତ ନିଦେ୍ର୍ଧଶ ଦେଇଥିଲେ । ଏହି ଶୁଣାଣି ସମୟରେ ବାର୍ ଆସୋସିଏସନ ପକ୍ଷରୁ ଅନେକ ଆଇନଜୀବୀ ପ୍ରଶ୍ନ ଉତଥାପନ କରିଥିଲେ । ସେମାନଙ୍କ ବିରୋଧରେ କେଉଁ କାରଣ ଲାଗି ଅଦାଲତ ଅବମାନନା ଅଭିଯୋଗ ଅଣାଯାଇଛି ତାହା ସମ୍ପର୍କରେ ସେମାନଙ୍କୁ ଆଦୌ ଅବଗତ କରାଯାଇନାହିଁ । କେବଳ ଆଇନଜୀବୀମାନଙ୍କ ପ୍ରତି ଅଦାଲତ ପକ୍ଷରୁ ନୋଟିସ ଜାରି କରାଯାଇଛି । ଅବଗତ ହେବା ପରେ ଆଇନଜୀବୀମାନେ ଜବାବ ରଖିବାକୁ କହିଛନ୍ତି ।

Comments are closed.