Latest Odisha News

BREAKING NEWS

“ହକିକୁ ଭଲପାଇବା ଲାଗି ଜାତୀୟ ମାନ୍ୟତାର ଆବଶ୍ୟକତା ନାହିଁ” : ନବୀନଙ୍କୁ ଜଣାଇଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ସବୁ ଭାରତୀୟ କେବଳ ଜାଣିଛନ୍ତି ହକି ଭାରତର ଜାତୀୟ ଖେଳ, କିନ୍ତୁ ସରକାର ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ବିଧିବଦ୍ଧ ଭାବେ ଜାତୀୟ ଖେଳ ଭାବେ ମାନ୍ୟତା ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିଥିଲେ । ଏହାର ଜବାବରେ ଗୁରୁବାର ଦିନ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି, “ହକିକୁ ଭଲପାଇବା ଲାଗି ଜାତୀୟ ମାନ୍ୟତାର ଆବଶ୍ୟକତା ନାହିଁ” । ଏନଆଇ ଗଣମାଧ୍ୟମକୁ ଏନେଇ ବକ୍ତବ୍ୟ ଦେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମଧ୍ୟ କହିଛନ୍ତି, “ଭାରତରେ ହକି ଖେଳ ଲାଗି ବହୁତ ପ୍ରୋତ୍ସାହନ ଦିଆଯିବା ସହ ଏହି ଜାତୀୟ ଖେଳକୁ ପ୍ରାଥମିକତା ଦିଆଯାଉଛି ।”

ସୂଚନାଯୋଗ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଖୋଲାଚିଠିରେ ହକିକୁ ଜାତୀୟ ଖେଳ ଭାବେ ବିଧିବଦ୍ଧ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ସମସ୍ତେ ଜାଣନ୍ତି ହକି ଏକ ଜାତୀୟ ଖେଳ କିନ୍ତୁ ହକିକୁ ଜାତୀୟ ଖେଳ ରୂପେ ସରକାରୀ ଭାବେ କୌଣସି ବିଜ୍ଞପ୍ତି ନପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

ଓଡ଼ିଶା ସରକାର ଆଗାମୀ ୫ବର୍ଷ ଲାଗି ଭାରତୀୟ ଜାତୀୟ ହକି ଦଳର ପ୍ରାୟୋଜକ ରହିଛନ୍ତି । ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ବିଶ୍ୱକପ ହକିର ଅୟୋଜନ କରୁଛି ଓଡ଼ିଶା । ତେଣୁ ଯଥାଶିଘ୍ର ହକିକୁ ଜାତୀୟ ଖେଳର ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ କଥାହେଲା ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହକି ସମ୍ପର୍କରେ ଦେଇଥିବା ଚିଠିର ଜବାବରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଦେଇଥିବା ମନ୍ତବ୍ୟର ଉତ୍ତର ଓଡ଼ିଶା ସରକାର କିପରି ରଖିବେ ତାହାକୁ କେବଳ ଓଡ଼ିଶା ନୁହେଁ ବରଂ ଭାରତର ହକିପ୍ରେମୀ ମାନେ ଅପେକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏବାବଦରେ ଚିଠି ଦେବା ପରେ ବଲିଉଡ଼ ତାରକା, ସ୍ୱନାମଧନ୍ୟ କ୍ରିକେଟ ଖେଳାଳି, ସାମ୍ବାଦିକ ତଥା ବୁଦ୍ଧିଜୀବିମାନେ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ସମର୍ଥନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଲାଚିଠି ଦେବା ପରେ ଏବେ ହକିକୁ ନେଇ ହିଁ ଭାରତର ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି ।

Leave A Reply

Your email address will not be published.