Latest Odisha News

BREAKING NEWS

ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର; ଉତ୍ତରପ୍ରଦେଶରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ସଂଖ୍ୟକ ବୁଲା କୁକୁର । ୨୦୧୯ ମସିହା ପ୍ରାଣୀଧନ ଗଣନା ହିସାବରେ ଭାରତରେ ସର୍ବାଧିକ ବୁଲା କୁକୁର ଉତ୍ତରପ୍ରଦେଶରେ ଅଛନ୍ତି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଉତ୍ତର ପ୍ରଦେଶରେ ୨୦ ଲକ୍ଷ ୫୯ ହଜାର ୨୬୧ଟି ବୁଲା କୁକୁର ଅଛନ୍ତି । ମତ୍ସ୍ୟ ସମ୍ପଦ, ପଶୁପାଳନ ଏବଂ ଗୋପାଳନ ମନ୍ତ୍ରୀ ପରଷୋତ୍ତମ ରୂପାଲା ୨୦୧୯ ପ୍ରାଣୀଧନ ଗଣନା ଆଧାରରେ ଲୋକସଭାରେ ଏହି ତଥ୍ୟ ଦେଇଛନ୍ତି ।

ଲୋକସଭା ଏମପି ଥୋମାସ୍ ଚାଝିକଦନଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏହି ତଥ୍ୟ ଉତ୍ତର ଆକାରରେ ଉପସ୍ଥାପନ କରିଛନ୍ତି । ଓଡ଼ିଶାରେ ୨୦୧୨ରେ ୮ ଲକ୍ଷ ୬୨ ହଜାର ୫୨୦ରୁ ବୃଦ୍ଧି ହୋଇ ୨୦୧୯ରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି । ୨୦୧୯ ଗଣନା ହିସାବରେ ରାଜ୍ୟରେ ୧୭ ଲକ୍ଷ ୩୪ ହଜାର ୩୧୯ ଟି ବୁଲା କୁକୁର ଅଛନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ପ୍ରତି ପାଞ୍ଚ ବର୍ଷରେ ପ୍ରାଣୀଧନ ଗଣନା ଆଧାରରେ ବୁଲା କୁକୁର ମାନଙ୍କ ସଂଖ୍ୟା ଗଣନା କରାଯାଏ । ୨୦୧୨ର ଗଣନା ହିସାବରେ ସାରା ଦେଶରେ ପ୍ରାୟ ୧୮ ଲକ୍ଷ ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ଘଟିଛି ବୋଲି ଜଣାପଡ଼ିଛି । ୨୦୧୨ରେ ଦେଶରେ ୧୭୧.୪ ଲକ୍ଷ ବୁଲା କୁକୁର ଥିଲେ । କିନ୍ତୁ ୨୦୧୯ରେ ଏହି ସଂଖ୍ୟା ତଳକୁ ଖସି ୧୫୩.୧ ଲକ୍ଷରେ ପହଞ୍ଚିଛି ।

ଗଣନା ହିସାବରେ ମହାରାଷ୍ଟ୍ର ୧୨ ଲକ୍ଷ ୭୬ ହଜାର ୩୯୯ ସହ ତୃତୀୟ, ଚତୁର୍ଥରେ ୧୨ ଲକ୍ଷ ୭୫ ହଜାର ୫୯୬ ସହ ରାଜସ୍ଥାନ, ପଞ୍ଚମରେ ପଶ୍ଚିମବଙ୍ଗ (୧୧ ଲକ୍ଷ ୪୦ ହଜାର ୪୬୫), ଷଷ୍ଠରେ ମଧ୍ୟପ୍ରଦେଶ (୧୦ ଲକ୍ଷ, ୯ ହଜାର ୭୬) ରହିଛି ।

ମନ୍ତ୍ରୀ କହିଛନ୍ତି ଯେ, ବୁଲା କୁକୁରଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ବ୍ୟବସ୍ଥା ନାହିଁ ।

Leave A Reply

Your email address will not be published.