Latest Odisha News

BREAKING NEWS

ସାଇବର କମାଣ୍ଡ ସେଣ୍ଟର ପାଇଁ ଡିପିଆର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର (O3C) ପ୍ରତିଷ୍ଠା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିବା ନେଇ ଘୋଷଣା କରାଯାଇଛି।

ତେବେ ଏଥିପାଇଁ ରାଜ୍ୟ ସାରା ୨୦ଟି ନୂତନ ସାଇବର ପୋଲିସ ଷ୍ଟେସନ ତିଆରି କରିବା ନେଇ ଯୋଜନା ଚାଲିଛି।ତେବେ ଶୀଘ୍ର ପଦକ୍ଷେପ ସଦୃଶ୍ୟ O3C ପାଇଁ ଡିପିଆର ପ୍ରସ୍ତୁତ କରିବା ପାଇଁ ଆଇଟି ପରାମର୍ଶଦାତା ସଂସ୍ଥାଗୁଡ଼ିକ ଠାରୁ ସରକାର ଆବେଦନ ଆମନ୍ତ୍ରଣ କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧୪ଟି ସାଇବର ପୋଲିସ ଷ୍ଟେସନ୍ ଅଛି।ଅଧିକ ୨୦ଟି ଷ୍ଟେସନ୍ ପ୍ରତିଷ୍ଠା ହେବା ଦ୍ୱାରା ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧର ମୁକାବିଲା କରିବାର କ୍ଷମତା ବୃଦ୍ଧି ପାଇବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।ତେବେ ଭୁବନେଶ୍ୱରରେ ସାଇବର କମାଣ୍ଡ ସେଣ୍ଟର ତଦନ୍ତ ସମନ୍ୱୟ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

O3C ରାଜ୍ୟର କେନ୍ଦ୍ରୀୟ ସାଇବର ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବ। ଏହି କେନ୍ଦ୍ରରେ ତିନୋଟି ମୁଖ୍ୟ ଉପାଦାନ ରହିବ:- ସାଇବର ଅପରାଧ ତଦନ୍ତ ମୁଖ୍ୟାଳୟ, ରାଜ୍ୟ ସାଇବର ଅପରାଧ ପୋଲିସ ଷ୍ଟେସନ୍ ଏବଂ ସାଇବର ସମ୍ବଳ କେନ୍ଦ୍ର।

ଏଥିପାଇଁ ରାଜ୍ୟ ସ୍ତରରେ ସାଇବର ଅପରାଧ ତଦନ୍ତ ଏବଂ ସାଇବର ଇଣ୍ଟେଲିଜେନ୍ସରେ ତାଲିମ ଆରମ୍ଭ ହୋଇସାରିଛି। ସମସ୍ତ ସ୍ତରରେ ପୋଲିସ କର୍ମଚାରୀମାନଙ୍କୁ ସାଇବର ଅପରାଧୀଙ୍କ ସହ ମୁକାବିଲା ପାଇଁ ଦକ୍ଷ କରାଇବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି।

ଆର୍ଥିକ ଠକେଇ, ଫିସିଂ ଠକେଇ, ତଥ୍ୟ ଉଲ୍ଲଂଘନ ଏବଂ ଦୁର୍ବଳ ଲୋକଙ୍କୁ ଟାର୍ଗେଟ କରି ‘ଡିଜିଟାଲ ଆରେଷ୍ଟ’ ଭଳି ଅପରାଧ ଗୁଡ଼ିକ ଆଜିକାଲି ବଢ଼ିବାରେ ଲାଗିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦିଆଯାଇଛି।

 

Comments are closed.