Latest Odisha News

BREAKING NEWS

CM’s UAE Visit: ‘ମୁଖ୍ୟମନ୍ତ୍ରୀଙ୍କ ଓଡିଶାକୁ ନିବେଶ ଦେଖାଣିଆ…’, ଆଦାନୀ ଚୁକ୍ତି ପାଇଁ ଦୁବାଇ ଯାତ୍ରାକୁ ନେଇ ସରକାରଙ୍କୁ ଓଜେସିର ପ୍ରଶ୍ନ…

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନକୁ ନେଇ ସରକାର ରଖୁଥିବା ତଥ୍ୟ ଓ ବାସ୍ତବ ସ୍ଥିତି ମଧ୍ୟରେ ଫରକ ରହିଛି ବୋଲି ଦାବି କରିଛି ସଡିଶା ଜନତା କଂଗ୍ରେସ(ଓଜେସି)। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ରାଜ୍ୟର ନିବେଶ, ପ୍ରକଳ୍ପ ଓ ନିଯୁକ୍ତିକୁ ନେଇ ଏକାଧିକ ପ୍ରଶ୍ନ ଉଠାଇଛନ୍ତି।

ଓଜେସିର ଦାବି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ ସମୟରେ ୨ ଲକ୍ଷ ୧୦ ହଜାର କୋଟି ଟଙ୍କାର ଚୁକ୍ତିନାମା ସହ ୮ ଲକ୍ଷ ୬୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ଦାବି କରାଯାଇଛି। ତେବେ ଏହି ଦାବିକୁ ନେଇ ସାଧାରଣରେ ସନ୍ଦେହ ରହିଥିବା ଶତପଥୀ କହିଛନ୍ତି। ସେହିପରି ‘ଉତ୍କର୍ଷ ଓଡ଼ିଶା’ ଅଧୀନରେ ୮୯୦ଟି ପ୍ରକଳ୍ପ ପାଇଁ ୨୦ ଲକ୍ଷ ୯୦ ହଜାର କୋଟି ଟଙ୍କାର ନିବେଶ ନେଇ ସରକାର ଦାବି କରୁଥିବା ବେଳେ, ଗତ ୨ ବର୍ଷ ୩ ମାସ ମଧ୍ୟରେ ମାତ୍ର ୫୬ଟି ପ୍ରକଳ୍ପରେ ୧ ଲକ୍ଷ ୭୮ ହଜାର କୋଟି ଟଙ୍କାର କାମ ଆରମ୍ଭ ହୋଇଥିବା ଓଜେସି ଦାବି କରିଛି।

ସଂଗଠନର କହିବା ଅନୁସାରେ, ଏହା ସମୁଦାୟ ପ୍ରସ୍ତାବିତ ନିବେଶର ପ୍ରାୟ ୧୧ ପ୍ରତିଶତ। ଫଳରେ ୮୯ ପ୍ରତିଶତ ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟାନ୍ୱୟନ ଅପେକ୍ଷାରେ ଥିବା ଓଜେସି ଅଭିଯୋଗ କରିଛି। ଏହି ପ୍ରକଳ୍ପଗୁଡ଼ିକରୁ ୧୨ ଲକ୍ଷ ୯୦ ହଜାର ନିଯୁକ୍ତିର ଲକ୍ଷ୍ୟ ଥିବା ବେଳେ, ଏପର୍ଯ୍ୟନ୍ତ ୩୧ ହଜାର ୬୬୮ ଜଣ ନିଯୁକ୍ତି ପାଇଥିବା ଦାବି କରାଯାଇଛି। ବିଦେଶୀ ପୁଞ୍ଜିନିବେଶକୁ ନେଇ ମଧ୍ୟ ଓଜେସି ପ୍ରଶ୍ନ ଉଠାଇଛି। ୨୦୨୯ ସୁଦ୍ଧା ଓଡ଼ିଶାକୁ ୨ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଆଣିବାର ଲକ୍ଷ୍ୟ ଥିବା ବେଳେ, ମାତ୍ର ୩୯ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ଆସିଥିବା ଓଜେସି ଦାବି କରିଛି।

ଆଦାନୀ ସହ ଶିଳ୍ପାୟନ ସମ୍ପର୍କିତ ଚୁକ୍ତି ସ୍ୱାକ୍ଷର ପାଇଁ ମୁଖ୍ୟମନ୍ତ୍ରୀ ଦୁବାଇ ଯାଇଥିବା ପ୍ରସଙ୍ଗରେ ମଧ୍ୟ ଓଜେସି ପ୍ରଶ୍ନ ଉଠାଇଛି। ଦୁବାଇରେ ହୋଇଥିବା ଚୁକ୍ତି ଜୁଲାଇ ୨୦୨୬ରେ ଭୁବନେଶ୍ୱରରେ ଆଦାନୀ ଓ ଆଇଏଚସି ସହ ହୋଇଥିବା ଚୁକ୍ତିର ପରିବର୍ତ୍ତିତ ରୂପ ବୋଲି ସଂଗଠନ ଦାବି କରିଛି। ତେଣୁ ନିବେଶକ ସମ୍ମିଳନୀ ନାଁରେ ଦୁବାଇରେ ସରକାରୀ ଅର୍ଥ ଖର୍ଚ୍ଚ କରିବାର ଯଥାର୍ଥତା ନେଇ ପ୍ରଶ୍ନ ଉଠାଯାଇଛି।

ଓଡ଼ିଶାରୁ ବଡ଼ ପ୍ରକଳ୍ପ ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ନେଇ ମଧ୍ୟ ଓଜେସି ଅଭିଯୋଗ କରିଛି। ସଂଗଠନର ଦାବି ଅନୁସାରେ, ୪୦ ହଜାର କୋଟି ଟଙ୍କାର ଜେଏସଡବ୍ଲ୍ୟୁ ବୈଦ୍ୟୁତିକ ଯାନ ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯାଇଛି। ସେହିପରି କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ୧ ଲକ୍ଷ କୋଟି ଟଙ୍କାର ଆର୍ସେଲରମିତ୍ତଲ ଇସ୍ପାତ ପ୍ରକଳ୍ପ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମକୁ ସ୍ଥାନାନ୍ତର ହୋଇଥିବା ଦାବି କରାଯାଇଛି। ଗଞ୍ଜାମ ଛତ୍ରପୁରରେ ୩୦ ହଜାର କୋଟି ଟଙ୍କାର ସେମିକଣ୍ଡକ୍ଟର ପ୍ରକଳ୍ପ ବନ୍ଦ ହୋଇଥିବା ଏବଂ ୨୫ ହଜାର କୋଟି ଟଙ୍କାର ସୌର ପ୍ରକଳ୍ପ କରିବାକୁ ଥିବା ୱାରି ଏନର୍ଜି ମଧ୍ୟ ନିଜ ପ୍ରକଳ୍ପ ବନ୍ଦ କରିଥିବା ଓଜେସି କହିଛି। ଏହାସହ ରାଜ୍ୟର ୭ଟି ସୂତାକଳ, ଓଟିଏମ୍ କପଡ଼ା ମିଲ୍ ସମେତ ବିଭିନ୍ନ ରୁଗ୍ଣ ଶିଳ୍ପର ପୁନରୁଦ୍ଧାର ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହୋଇନଥିବା ମଧ୍ୟ ସଂଗଠନ ଅଭିଯୋଗ କରିଛି।

ଏହି ଅବସରରେ ଓଜେସି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ପ୍ରମୁଖ ଦାବି ରଖାଯାଇଛି। ମହାରାଷ୍ଟ୍ର ଢାଞ୍ଚାରେ ଓଡ଼ିଶାର ଘରୋଇ କମ୍ପାନୀଗୁଡ଼ିକରେ ଅତିକମରେ ୭୦ ପ୍ରତିଶତ ଓଡ଼ିଆଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ଦାବି କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରୁଥିବା କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷର ସମୟରେ ୭୦ ପ୍ରତିଶତ ଓଡ଼ିଆଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଏଥିପାଇଁ ଏକ ଆଇନ ପ୍ରଣୟନ କରିବାକୁ ଶ୍ରୀ ଶତପଥୀ ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଓଜେସିର ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ଶୁଭେନ୍ଦୁ ମଲ୍ଲିକ, ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା ଏବଂ ବରିଷ୍ଠ ନେତା ସୁରେଶ ସାହାଣୀ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.