ଭୁବନେଶ୍ୱର: ନିଜ ମୃତ ଆତ୍ମୀୟ ପ୍ରିୟଙ୍କା ପାତ୍ର(୨୬)ଙ୍କ କିଡନୀ ଦାନ କରି ୨ ଜଣଙ୍କ ପ୍ରାଣ ବଞ୍ଚାଇଥିବା ପ୍ରିୟଙ୍କାଙ୍କ ପରିବାରର ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଶୋକସନ୍ତପ ପରିବାର ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବା ସହ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ମୃତ ପ୍ରିୟଙ୍କାଙ୍କ ୩ ବର୍ଷର ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସଫଳ କିଡନୀ ପ୍ରତିରୋପଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲର୍ ସମସ୍ତ ଡାକ୍ତର ଏବଂ ତାଙ୍କ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହାସହ ପ୍ରିୟଙ୍କାରାଣୀଙ୍କ ପରିବାରକୁ ‘ସୂରଜ ଯୋଜନା’ରେ ସମ୍ମାନିତ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ‘ବ୍ରେନ୍ ଡେଡ୍’ ଘୋଷିତ ପ୍ରିୟଙ୍କାରାଣୀ ପାତ୍ରଙ୍କ ଶରୀରରୁ ଗୋଟାଏ କିଡ୍ନି କଟକ ବଡ଼ ଡାକ୍ତରଖାନାକୁ ନିଆଯାଇ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡ୍ନି ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍ରେ ଅନ୍ୟ ଜଣେ ପୁରୁଷ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି।
Comments are closed.