ଭୁବନେଶ୍ୱର: ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ (ରେଜିଷ୍ଟ୍ରେସନ ଅଫିସ)କୁ ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ଲକ୍ଷ୍ୟରେ ଜମିଜମା ପଞ୍ଜୀକରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପେପରଲେସ୍ ଓ କ୍ୟାଶଲେସ୍ କରାଯିବ। ଏହି ବ୍ୟବସ୍ଥାର ପ୍ରଚଳନ ଏବଂ କାର୍ଯ୍ୟକାରିତା ନିମନ୍ତେ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଜମିଜମା କିଣାବିକା ପାଇଁ ଉଭୟ କ୍ରେତା ଓ ବିକ୍ରେତା ସହମତ ହେଲେ ସେମାନଙ୍କୁ ଆଉ ବାରମ୍ବାର ନିବନ୍ଧନ କାର୍ଯ୍ୟାଳୟକୁ ଯାଇ ଆବେଦନ କରିବାକୁ ପଡିବନାହିଁ। ସେମାନେ ପୂର୍ବରୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଏବଂ କେବଳ ଦଲିଲ୍ ପଞ୍ଜୀକରଣ ସମୟରେ ଆନୁସଙ୍ଗିକ ଚିହ୍ନଟ ପ୍ରକ୍ରିୟା ପାଇଁ ସେଠାରେ ଉପସ୍ଥିତ ରହିବେ। ଏଥିସହିତ ପୂର୍ବରୁ ପ୍ରଚଳିତ ଥିବା ୧୫,୦୦୦/- ଟଙ୍କା ପର୍ଯ୍ୟନ୍ତ ନଗଦ ଅର୍ଥ (କ୍ୟାଶ) ଦେବାର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି ଏବଂ ପଞ୍ଜୀକରଣ ପାଇଁ ଆବଶ୍ୟକ ସମସ୍ତ ଅର୍ଥରାଶି କେବଳ ଅନଲାଇନ୍ ମାଧ୍ୟମରେ ପୈଠ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଅତ୍ୟଧିକ କାଗଜପତ୍ର ବ୍ୟବହାର ଯୋଗୁଁ ପଞ୍ଜୀକରଣ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ ଏବଂ ଦୁର୍ନୀତିର ସମ୍ଭାବନା ରହୁଥିବାରୁ, ଏହାକୁ ରୋକିବା ପାଇଁ ସମଗ୍ର ବ୍ୟବସ୍ଥାକୁ କାଗଜପତ୍ରମୁକ୍ତ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଅନଲାଇନ୍ ଆବେଦନ ସମୟରେ କ୍ରେତା ଏବଂ ବିକ୍ରେତାଙ୍କ ପରିଚୟ, ପ୍ଳଟ ନମ୍ଵର୍, ଇସି (EC) ଇତ୍ୟାଦି ସମସ୍ତ ଆବଶ୍ୟକୀୟ ନଥିପତ୍ର ସମ୍ପର୍କରେ ସୂଚନା ଦିଆଯିବ। ଏହି ବ୍ୟବସ୍ଥାରେ ଅଧିକ ସ୍ଵଚ୍ଛତା ଆଣିବା ପାଇଁ ଆବେଦନପତ୍ରର ଯାଞ୍ଚ ସମ୍ପୃକ୍ତ ସ୍ଥାନର ପଞ୍ଜୀକରଣ କାର୍ଯ୍ୟାଳୟରେ ନ ହୋଇ ରାଜ୍ୟର ଅନ୍ୟ କେଉଁ ବି କାର୍ଯ୍ୟାଳୟରେ କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି। ଏହାବ୍ୟତୀତ, କେବଳ ପଞ୍ଜୀକୃତ ଦଲିଲ୍ ଲେଖୁଥିବା ଓକିଲଙ୍କ ଦ୍ଵାରା ହିଁ ଦଲିଲ୍ ପଞ୍ଜୀକରଣ କରାଯିବ ଏବଂ ସେ ସମ୍ପର୍କିତ ସୂଚନା ଆବେଦନପତ୍ରରେ ପୂର୍ବରୁ ଉଲ୍ଲେଖ ରହିବ। ଦଲିଲ୍ ପଞ୍ଜୀକରଣ ପାଇଁ ଓକିଲ, ଷ୍ଟାମ୍ପ୍ ଭେଣ୍ଡର୍ ଏବଂ ଡିଡ୍ ରାଇଟର୍ ପୂର୍ବରୁ ରେଜିଷ୍ଟ୍ରିଭୁକ୍ତ (ପଞ୍ଜୀକୃତ) ହୋଇଥିବା ବାଧ୍ୟତାମୂଳକ କରାଯାଇଛି। ଏହି ନୂତନ ସମ୍ପୂର୍ଣ୍ଣ ପଞ୍ଜୀକରଣ ବ୍ୟବସ୍ଥା ସମ୍ବନ୍ଧରେ ଖୁବ୍ ଶୀଘ୍ର ରାଜସ୍ୱ ବିଭାଗ ପକ୍ଷରୁ ଏକ ନୂତନ ଏସଓପି (SOP) ଜାରି କରିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।