ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏଥିରେ ହିତାଧିକାରୀଙ୍କୁ ମିଳିବ ଅଧିକ ୫ କିଲୋ ଚାଉଳ । ରାଜ୍ୟରେ ଖାଉଟିଙ୍କୁ ତାଙ୍କ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ, ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ, ରାଜ୍ୟ ସରକାର ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧିନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି।
ଏହି ନୂଆ ଯୋଜନାରେ ମାସକୁ ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷକୁ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧ କୋଟି ୯୬ ହଜାର ପରିବାର ଉପକୃତ ହେବାକୁ ଥିବା ବେଳେ ୩କୋଟି ୨୮ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ। ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାରର ୩ କୋଟି ୨୨ ଲକ୍ଷ ୮୯ ହଜାର ୬୯୨ ସଦସ୍ୟ ଉପକୃତ ହେଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାରର ୫ ଲକ୍ଷ ୬୨ ହଜାର ୭୩୭ ସଦସ୍ୟ ଉପକୃତ ହେଉଛନ୍ତି ।
ଉଭୟ ଯୋଜନାରେ ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଉପକୃତ ହେଉଛନ୍ତି। ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ସୁବିଧା ପାଇବେ। ମାସିକ ହାରାହାରି ୧.୬୪ ଲକ୍ଷ ମେଟ୍ରିକ ଟନ ହିସାବରେ ବର୍ଷକୁ ହାରାହାରି ୧୯.୭୧ ଲକ୍ଷ ମେଟ୍ରିକ ଟନ ଚାଉଳ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ‘ ମାଧ୍ୟମରେ ବଣ୍ଟନ କରାଯିବ। ଏହି ବାବଦରେ ଆକଳନ କରାଯାଇଥିବା ମାସିକ ଖର୍ଚ୍ଚ ହାରାହାରି ୭୩୪ କୋଟି ଟଙ୍କା ହାରରେ, ବାର୍ଷିକ ବ୍ୟୟ ବରାଦ ୮,୮୧୩ କୋଟି ଟଙ୍କା ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କରାଯିବାର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।