Latest Odisha News

BREAKING NEWS

ଓଡ଼ିଶାର କେଉଁ ନେତାମାନେ ହୋଇଛନ୍ତି ରାଜ୍ୟପାଳ, ଜାଣନ୍ତୁ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେବାପରେ ସେ ଓଡ଼ିଶାର ନବମ ନେତାଭାବେ ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ୨୦୧୪ରୁ ଏନଡ଼ିଏ ସରକାରଙ୍କ ଶାସନ ମଧ୍ୟରେ ଦ୍ରୌପଦୀ ମୂର୍ମୁଙ୍କ ପରେ ବିଶ୍ୱଭୂଷଣ ହେଲେ ଦ୍ୱିତୀୟ ଓଡ଼ିଆ ନେତା ଯିଏକି ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ।

ଓଡ଼ିଶାର ରାଜନୈତିକ ପ୍ରେକ୍ଷାପଟରେ ଯେଉଁ ନେତାମାନେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ପନ୍ନ କରିଛନ୍ତି ସେମାନଙ୍କର ତାଲିକା:

ହରେକୃଷ୍ଣ ମହତାବ (ବମ୍ବେ)

ସ୍ୱାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯିଏକି ନେହେରୁ ସରକାରରେ ଜରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ସେ ୧୯୫୫ରୁ ୧୯୫୬ ମସିହା ପର୍ଯ୍ୟନ୍ତ ତତ୍କାଳୀନ ବମ୍ବେ ରାଜ୍ୟର ରାଜ୍ୟପାଳ ରହିଛନ୍ତି ।

ନିତ୍ୟାନନ୍ଦ କାନୁନଗୋ (ଗୁଜରାଟ ଓ ବିହାର)

ବରିଷ୍ଠ କଂଗ୍ରେସ ନେତା ନିତ୍ୟାନନ୍ଦ କାନୁନଗୋ ୧୯୩୭ ମସିହା ଏବଂ ୧୯୪୬ରେ ୨ଥର ଲାଗି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଭାରତର ଦୁଇଟି ରାଜ୍ୟ ଗୁଜରାଟ ଏବଂ ବିହାର ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିବାର ଗୌରବ ଅର୍ଜନ କରିଛନ୍ତି । ସେ ୧୯୬୫ରୁ ୧୯୬୭ ପର୍ଯ୍ୟନ୍ତ ଗୁଜରାଟ ଏବଂ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ରହିଛନ୍ତି ।

ବିଶ୍ୱନାଥ ଦାଶ (ଉତ୍ତର ପ୍ରଦେଶ)

ବ୍ରିଟିଶ୍ ଶାସନାଧିନ ଭାରତର ଓଡ଼ିଶା ପ୍ରୋଭିନ୍ସ ଲାଗି ବିଶ୍ୱନାଥ ଦାଶ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ । ସେ ୧୯୭୧ରୁ ୧୯୭୨ ମସିହା ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ବିଶ୍ୱନାଥ ଦାଶ ୧୯୬୨ରୁ ୧୯୬୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାଜ୍ୟପାଳ ଭାବେ ଅଧିଷ୍ଠିତ ହୋଇଥିଲେ ।

ସୁରେନ୍ଦ୍ର ନାଥ ଦ୍ୱିବେଦୀ (ଅରୁଣାଚଳ ପ୍ରଦେଶ)

ପ୍ରଜା ସୋସିଆଲିଷ୍ଟ ପାର୍ଟିର ନେତା ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିବା ସୁରେନ୍ଦ୍ର ନାଥ ଦ୍ୱିବେଦୀ ୧୯୫୭ରୁ ୧୯୭୦ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଆସନର ସାଂସଦ ରହିଥିଲେ । ସେ ୧୯୫୨ରୁ ୧୯୫୬ ମସିହା ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ମଧ୍ୟ ରହିଥିଲେ ।

ସୁରେନ୍ଦ୍ର ନାଥ ଦ୍ୱିବେଦୀ ୧୯୯୧ ମସିହାରୁ ୧୯୯୩ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।

ଲୋକନାଥ ମିଶ୍ର (ଆସାମ, ନାଗାଲ୍ୟାଣ୍ଡ ଓ ଅରୁଣାଚଳ ପ୍ରଦେଶ)

ଓଡ଼ିଶାର ଘରେ ଘରେ ପରିଚିତ କବି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସୁପୁତ୍ର ହେଉଛନ୍ତି ଲୋକନାଥ ମିଶ୍ର । ସେ ରାଜ୍ୟସଭା ସଦ୍ୟସଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।

ଲୋକନାଥ ମିଶ୍ର ଆସାମର ରାଜ୍ୟପାଳ ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ ରହିଥିବା ବେଳେ ୧୯୯୨ରୁ ୧୯୯୩ ପର୍ଯ୍ୟନ୍ତ ନାଗାଲ୍ୟାଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମାର୍ଚ୍ଚ ୭, ୧୯୯୧ରୁ ମାର୍ଚ୍ଚ ୨୫ ତାରିଖ ୧୯୯୧ ମସିହା ପର୍ଯ୍ୟନ୍ତ କାଯ୍ୟ କରିଛନ୍ତି ।

ଚିନ୍ତାମଣୀ ପାଣିଗ୍ରାହୀ (ମଣିପୁର)

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୯୫୭ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସ ଯୋଗଦାନ କରି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୯୬୭, ୧୯୭୧, ୧୯୮୦ ଏବଂ ୧୯୮୪ ମସିହାରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ଚିନ୍ତାମଣୀ ପାଣିଗ୍ରାହୀ ୧୯୮୯ରୁ ୧୯୯୩ ମସିହା ପର୍ଯ୍ୟନ୍ତ ମଣିପୁର ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି ।

ଜାନକୀ ବଲ୍ଲଭ ପଟ୍ଟନାୟକ (ଆସାମ)

ଜାନକୀ ବଲ୍ଲଭ ପଟ୍ଟନାୟକ ୩ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୯୮୦ରୁ ୮୯ ଏବଂ ୧୯୯୫ରୁ ୧୯୯୯ ମସିହା ପର୍ଯ୍ୟନ୍ତ ଦୁଇଟି ପାଳି ଶେଷ କରିଛନ୍ତି ।

ଜାନକୀ ବଲ୍ଲଭ ପଟ୍ଟନାୟକ ସଂସ୍କୃତରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାଶ୍ କରିବା ପରେ ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୪୯ ମସିହାରେ ପୋଷ୍ଟ ଗ୍ରାଜୁଏସନ ପାଶ୍ କରିଥିଲେ । ୧୯୫୦ ମସିହାରେ ଓଡ଼ିଶା ଯୁବ କଂଗ୍ରେସର ସଭାପତି ରହିବା ପରେ ୧୯୮୦ ମସିହାରେ କେନ୍ଦ୍ର ପର୍ଯ୍ୟଟନ, ଘରୋଇ ଚଳାଚଳ ଏବଂ ଶ୍ରମ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।

ସେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ।

ଦ୍ରୌପଦୀ ମୂର୍ମୁ (ଝାଡ଼ଖଣ୍ଡ)

ପ୍ରଥମେ ଶିକ୍ଷକତା କରୁଥିବା ଦ୍ରୌପଦୀ ମୂର୍ମୁ ୧୯୯୭ରେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ସାନ୍ତାଳ ପରିବାରରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ୨୦୦୭ରେ ଓଡ଼ିଶା ବିଧାନସଭାରେ ଶ୍ରେଷ୍ଠ ବିଧାୟିକା ଭାବେ ‘ନୀଳକଣ୍ଠ’ ସମ୍ମାନ ହାସଲ କରିଥିଲେ ।

ସେ ୨୦୧୫ ମସିହାରେ ମାତ୍ର ୫୯ ବର୍ଷ ବୟସରେ ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ରାଜ୍ୟପାଳ ହୋଇ ଇତିହାସ ରଚିଥିଲେ ।

ବିଶ୍ୱଭୂଷଣ ହରିଚନ୍ଦନ (ଆନ୍ଧ୍ର ପ୍ରଦେଶ)

ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହେବାପରେ ପୋଲାଭରମ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଉପୁଜିଥିବା ଜଳବିବାଦର ସମାଧାନର ସୂତ୍ର ମିଳିପାରିବ ବୋଲି ଆଶା କରାଯାଉଛି ।

ଏପରିକି ବିଶ୍ୱଭୂଷଣ ଏସମ୍ପର୍କରେ କହିଛନ୍ତି, ଏହି ବିବାଦର ସମାଧାନ ଲାଗି ସେ ପ୍ରଚେଷ୍ଟା କରିବେ ।

ଏହି ବରିଷ୍ଠ ବିଜେପି ନେତା ଚିଲିକା ବିଧାନସଭା ଆସନରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶାରେ ବିଜେପି-ବିଜେଡ଼ି ମେଣ୍ଟ ସରକାରରେ ସେ ରାଜ୍ୟ ଆଇନ, ରାଜସ୍ୱ ଏବଂ ମତ୍ସ୍ୟ ଉତ୍ପାଦନ ମନ୍ତ୍ରୀଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ସେ ୧୯୭୧ ମସିହାରେ ଭାରତୀୟ ଜନସଂଘରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

ବିଶ୍ୱଭୂଷଣ ହରିଚନ୍ଦନ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଜେପି ରାଜ୍ୟ ଶାଖାର ସଭାପତି ଭାବେ କାର୍ଯ୍ୟ କରିଛନ୍ତି ।

Leave A Reply

Your email address will not be published.