ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ଏହି ପରିପ୍ରେକ୍ଷୀରେ ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୧ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ ସାହିତ୍ୟ ଜଗତରେ କିଛି ଗୌରବମୟ ପୃଷ୍ଠା ଯୋଡ଼ି ହୋଇଥିବା ବେଳେ କିଛି ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତକୁ ମଧ୍ୟ ଆମେ ସାମନା କରିଛେ ।
୨୦୨୧ରେ ସାହିତ୍ୟର ଭଲ ଖବର ଭିତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ( ୨୦୨୦ପାଇଁ ) ସାହିତ୍ୟିକ ରାମଚନ୍ଦ୍ର ନାୟକ, ବାଲ୍ ସାହିତ୍ୟ ପୁରସ୍କାର , ଜୟରାମ ଟୁଡୁ ସାନ୍ତାଳୀ ଭାଷାରେ ବାଲ୍ ପୁରସ୍କାର ଓ ଚନ୍ଦ୍ରଶେଖର ହୋତା ଯୁବ ପୁରସ୍କାର ପାଇଥିଲେ। ଠିକ ସେହିପରି ୨୦୨୦ ପାଇଁ ଯଶୋଧାରା ମିଶ୍ର ‘ସମୁଦ୍ରକୂଳ ଘର” ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।
ଏହି ବର୍ଷ କଥାକାର ରାମଚନ୍ଦ୍ର ବେହେରା ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।
୨୦୨୧ ପାଇଁ ହୃଷିକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଦିଗରାଜ ବ୍ରହ୍ମା ବାଲ ସାହିତ୍ୟ ପୁରସ୍କାର ଏବଂ ଦେବବ୍ରତ ଦାସ ଯୁବ ପୁରସ୍କାର ପାଇଁ ମନୋନୀତ ହେବା ସହ ଶ୍ୱେତପଦ୍ମା ଶତପଥି ସଂସ୍କୃତ ଭାଷା ପାଇଁ ଏବଂ କୁନା ହାଁସଦା ସାନ୍ତାଳୀ ଭାଷା ପାଇଁ ଯୁବ ପୁରସ୍କାର ପାଇଁ ମନୋନୀତ ହେବା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ବିଷୟ ଥିଲା ।
କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ “ଅଭିପ୍ରେତ କାଳ” ପାଇଁ ୪୨ତମ ଶାରଳା ପୁରସ୍କାର ପାଇଥିଲେ।ଏହାସହ ଏହି ବର୍ଷ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ସାରଳା ଦାସ ସମ୍ମାନରେ ସମ୍ମାନିତ ହୋଇଥିଲେ। କବି ରାଜେନ୍ଦ୍ର ପଣ୍ଡା ଶାରଳା ପୁରସ୍କାର ପାଇଁ ମନୋନୀତ ହେବା ଏବଂ ପୁରସ୍କାର ପ୍ରଦାନର କିଛିଦିନ ପୂର୍ବରୁ ଶେଷ ମୁହୂର୍ତ୍ତରେ ତାଙ୍କ ନାଁ ବାଦ ପଡ଼ିବା ଘଟଣା ୨୦୨୧ର ସବୁଠାରୁ ଚର୍ଚ୍ଚିତ ବିଷୟ ଥିଲା।
ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ଓ ନେସନାଲ ବୁକ ଟ୍ରଷ୍ଟ ପକ୍ଷରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେଇ ଯୁବ ଗାଳ୍ପିକ ଡିଲେଶ୍ୱର ରଣାଙ୍କ ପ୍ରସ୍ତୁତ ପାଣ୍ଡୁଲିପି ଜାତୀୟସ୍ତରରେ ପିଏମ ଯୁବା ମେଣ୍ଟରସିପ ଯୋଜନାରେ ମନୋନୀତ ହୋଇଛି। ଏହା ନେସନାଲ ବୁକ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ହେବା ସହ ଅନ୍ୟ ଭାଷାରେ ମଧ୍ୟ ଅନୂଦିତ ହେବା ୨୦୨୧ର ଏକ ପ୍ରମୁଖ ଘଟଣା ଥିଲା ।
ଏ ବର୍ଷ ସାହିତ୍ୟ କ୍ଷେତ୍ରରେ ଯେତିକି ନୂଆ ନୂଆ ସମ୍ଭାବନା ଆଣିଲା, ସେତିକି ଦୁଃଖଦ ମଧ୍ୟ ଥିଲା।
ପ୍ରଖ୍ୟାତ ଲେଖକ ମନୋଜ ଦାସଙ୍କ ବିୟୋଗ ୨୦୨୧ରେ ଆମ ସାହିତ୍ୟ ଜଗତର ଏକ ଅପୂରଣୀୟ କ୍ଷତି। ଦୀର୍ଘ ଦିନର ଅସୁସ୍ଥତା ପରେ ପଣ୍ଡିଚେରୀ ଆଶ୍ରମରେ ସେ ତାଙ୍କର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ଆହୁରି ମଧ୍ୟ ଲେଖକ ଦେବାଶିଷ ପାଣିଗ୍ରାହୀ, ଶୁଭେନ୍ଦୁ ମୁଣ୍ଡ, ମିନାକ୍ଷୀ ଦେବୀ , ପ୍ରମିଳା ଶତପଥୀ , ଅଖିଳ ନାୟକ ଏବଂ ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କ ଅକାଳ ବିୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଅନେକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ପ୍ରଖାତ କାଟୁନିଷ୍ଟ କିଶୋର ରଥ ଅକାଳ ବିୟୋଗରେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି।
ଏତେ ସବୁ ଘଟଣା ସହ କରୋନା ମହାମାରୀର ପ୍ରଭାବରେ ଚଳିତ ବର୍ଷ ପୁସ୍ତକ ମେଳା ବନ୍ଦ ହେବା ଘଟଣା ପ୍ରକାଶକ , ପାଠକ ତଥା ପୁସ୍ତକପ୍ରେମୀଙ୍କ ପାଇଁ ଏକ ନୈରାଶ୍ୟଜନକ ଘଟଣା ଥିଲା।
ବର୍ଷର ଶେଷ କିଛିଦିନ ମଧ୍ୟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ନିଶ୍ଚିତ ଭାବରେ ସାହିତ୍ୟ ପାଇଁ ଏକ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ରାଜ୍ୟ ତଥା ଦେଶ ବିଦେଶରୁ ଅନେକ ଲେଖକ ଲେଖିକାଙ୍କ ସହ ଆୟୋଜିତ ହୋଇଥିବା ବିଭିନ୍ନ ସଂପାନ ମାଧ୍ୟମରେ ସାହିତ୍ୟ ଚର୍ଚ୍ଚା ସାହିତ୍ୟପ୍ରେମୀଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା ।
ଏବର୍ଷ ପ୍ରଥମ ଥର ପାଇଁ ‘କୋରାପୁଟ ଲିଟେରାରୀ ଫେଷ୍ଟିଭାଲ’ କୋରାପୁଟରେ ଆୟୋଜିତ ନହୋଇ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା।
ଏହି ବର୍ଷ ସାହିତ୍ୟିକ ହୃଷିକେଶ ମଲ୍ଲିକ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ମହାନ ସାହିତ୍ୟିକ ମାନଙ୍କର ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ସଭା, ପୁସ୍ତକ ଉନ୍ମୋଚନ ଏବଂ ଅନ୍ୟ କିଛି ଆଲୋଚନା ସଭା ବ୍ୟତୀତ ଏବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବିଶେଷ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇନାହିଁ। ବିଶେଷ ଭାବରେ ବିଗତ ପାଞ୍ଚବର୍ଷ ଧରି ଏକାଡେମୀ ପକ୍ଷରୁ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା ନହେବା ଓଡ଼ିଶାର ଲେଖକମାନଙ୍କ ମଧ୍ୟରେ ଏକ ନୈରାଶ୍ୟଭାବ ସୃଷ୍ଟି କରିଛି।
ଏତେ ସବୁ ଘଟଣାବଳୀ ସହ ୨୦୨୧ରେ ଅନେକ ଗଳ୍ପ ସଙ୍କଳନ, କବିତା ସଙ୍କଳନ, ଉପନ୍ୟାସ , ନାଟକ , ଶିଶୁ ସାହିତ୍ୟ ଆଦି ପୁସ୍ତକ ସହ ଅନେକ ପତ୍ର ପତ୍ରିକା ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିଲା।
ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ମହାମାରୀ କରୋନାର ପ୍ରଭାବ ରହିଥିଲା। ମହାମାରୀକୁ ନେଇ ଅନେକ ସାହିତ୍ୟ ସୃଷ୍ଟି ହୋଇଛି। ଆମେ ବିପଦକୁ ଯେତିକି ସମାନା କରିଛେ ସେତେ ଅଧିକ ସର୍ଜନଶୀଳ କରିଛି।
ପୃଥିବୀର ଆବର୍ତ୍ତନ ଓ ପ୍ରରିକ୍ରମଣ ସହ କ୍ୟାଲେଣ୍ଡରର ପୃଷ୍ଠା ବଦଳୁଥିବ। ପୁରୁଣା ଯାଇ ନୂଆ ଆସିବ। ଅନେକ ତିକ୍ତ ମଧୁର ସ୍ମୃତି ଯୋଡ଼ି ହେଉଥିବ। ସେଇ ଅନୁଭବ ଓ ଅନୁଭୂତି ସହ ସାହିତ୍ୟର କ୍ଷେତ୍ର ବିକଶିତ ହେଉଥିବ ।
Comments are closed.