Latest Odisha News

BREAKING NEWS

ସାହିତ୍ୟ ପରିକ୍ରମା-୨୦୨୨

ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୨ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ ସାହିତ୍ୟ ଜଗତରେ କିଛି ଗୌରବମୟ ପୃଷ୍ଠା ଯୋଡ଼ି ହୋଇଥିବା ବେଳେ କିଛି ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତକୁ ମଧ୍ୟ ଆମେ ସାମନା କରିଛେ ।

୨୦୨୨ ରେ ସାହିତ୍ୟର ଭଲ ଖବର ଭିତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁବାଦ ବିଭାଗରେ ‘ଛେଳି ଚରାଇବାର ଦିନ’ ପୁସ୍ତକ ପାଇଁ ସାହିତ୍ୟିକ ଗୌରହରି ଦାସ ପୁରସ୍କୃତ ହୋଇଥିବା ବେଳେ ଗଳ୍ପ ସଙ୍କଳନ ଲଣ୍ଠନ ପାଇଁ ଦିଲ୍ଲୀପ ବେହେରା କେନ୍ଦ୍ର ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ଏହା ସହ କବିତା ସଙ୍କଳନ ଦୟାନଦୀ ପାଇଁ ଗାୟତ୍ରୀବାଳା ପଣ୍ଡା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଓ ଅନୁବାଦ ପୁସ୍ତକ ସୁନେଲୀ ମେଘ ପାଇଁ କମଳା ଶତପଥି କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ ହେବା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ବିଷୟ ଥିଲା । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଗୌରହରି ଦାସ ଶାରଳା ପୁରସ୍କାର ପାଇଛନ୍ତି।

ଏହି ବର୍ଷର ଅନ୍ୟାନ୍ୟ ଖବର ମଧ୍ୟରେ ରଘୁନାଥ ପଣ୍ଡା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି । ଆଉ ଏକ ବିଶେଷ ଖବରରେ ଓଡ଼ିଆ, ବଙ୍ଗଳା ଓ ଅସମିୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଅଧ୍ୟୟନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୨ ରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ଉଦୟନାଥ ସାହୁ ସ୍ଥାନ ପାଇବା ଓଡ଼ିଆ ସାହିତ୍ୟ ଜଗତରେ ଏକ ଗୌରବର ଫର୍ଦ୍ଦ ଯୋଡ଼ିଛି ।

ମହାମାରୀ କରୋନାର ପ୍ରଭାବରେ ଦୀର୍ଘ ଦୁଇବର୍ଷ ପରେ ଏଥର ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ଆୟୋଜିତ ହୋଇଥିଲା। ରାଜ୍ୟ ତଥା ରାଜ୍ଯ ବାହାରର ପ୍ରକାଶକ, ଲେଖକ ଏବଂ ପୁସ୍ତକ ପ୍ରେମୀଙ୍କ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଥିଲା। ଗଳ୍ପ, କବିତା, ଉପନ୍ୟାସ, ଶିଶୁ ସାହିତ୍ୟ, ନାଟକ ବ୍ୟତୀତ ପାଠ୍ୟ ପୁସ୍ତକ ସହ ଆଧ୍ୟାତ୍ମିକ ପୁସ୍ତକ ଏଥରର ପୁସ୍ତକ ମେଳାର ମୁଖ୍ୟ ଆକର୍ଷଣ ଥିଲା। ଏହା ସହ ରାଜ୍ୟରୁ ପ୍ରକାଶିତ ଅନେକ ପତ୍ର ପତ୍ରିକାର ଷ୍ଟଲ୍ ମଧ୍ଯ ଦେଖିବାକୁ ମିଳିଥିଲା। ଏଥର ପୁସ୍ତକ ମେଳାରେ କରୋନା ସମ୍ପର୍କିତ ପୁସ୍ତକ ପଢ଼ିବା ପାଇଁ ପାଠକ ବେଶୀ ଆଗ୍ରହୀ ଥିବା ଜଣା ପଡୁଥିଲ । ହେଲେ ଆଧ୍ୟାତ୍ମିକ ପୁସ୍ତକର ଚାହିଦା ସବୁଠୁ ଅଧିକ ଥିଲା। ପୁସ୍ତକ ମେଳାର ମୁଖ୍ୟ ଆକର୍ଷଣ ଭାବରେ ବିଭିନ୍ନ ପ୍ରକାଶନୀ ସଂସ୍ଥା ପକ୍ଷରୁ ଲେଖକ ଲେଖିକାମାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଷ୍ଟଲ୍ ପକ୍ଷରୁ ଆକର୍ଷଣୀୟ ଯୋଜନା ସବୁ ପ୍ରସ୍ତୁତ ହୋଇଥିଲା । ଦୁଇ ବର୍ଷର ବ୍ୟବଧାନରେ ଆୟୋଜିତ ହୋଇଥିବା ପୁସ୍ତକ ମେଳାରେ ପାଠକ ଅପେକ୍ଷା ଲେଖକ ଲେଖିକାଙ୍କ ଭିଡ଼ ଅଧିକ ଦେଖାଯାଇଥିଲା। ସେ ଯାହାହେଉ ପୁସ୍ତକ ମହୋତ୍ସବରେ ପାଖାପାଖି ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଥିଲା।

ଏ ବର୍ଷ ସାହିତ୍ୟ କ୍ଷେତ୍ରରେ ଯେତିକି ନୂଆ ନୂଆ ସମ୍ଭାବନା ଆଣିଲା, ସେତିକି ଦୁଃଖଦ ମଧ୍ୟ ଥିଲା। ବର୍ଷ ଆରମ୍ଭରୁ ପୂଣ୍ୟପ୍ରଭା ଦେବୀଙ୍କ ବିୟୋଗ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଦୁଃଖଦ ଘଟଣା ଥିଲା। ଆହୁରି ମଧ୍ୟ ସାହିତ୍ୟିକ ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ, ପଞ୍ଚାନନ ମିଶ୍ର, ଅବଦୁଲ ଓସିଦ ଖାଁ, ଅରବିନ୍ଦ ପଟ୍ଟନାୟକ, ରବୀନ୍ଦ୍ରନାଥ ଦାସ, ବୀଣାପାଣି ମହାନ୍ତି , କୁମୁଦଲତା ମହାନ୍ତି, ଗୀତା ହୋତା, ରଜତ କର ପ୍ରମୁଖଙ୍କ ଦେହାନ୍ତ ଓଡ଼ିଆ ସାହିତ୍ୟ ଜଗତରେ ଅନେକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ମହାନ ସାହିତ୍ୟିକମାନଙ୍କର ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ସଭା, ପୁସ୍ତକ ଉନ୍ମୋଚନ ଏବଂ ଅନ୍ୟ କିଛି ଆଲୋଚନା ସଭା ବ୍ୟତୀତ ଏବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବିଶେଷ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇନାହିଁ। ବିଶେଷ ଭାବରେ ବିଗତ ଛଅ ବର୍ଷ ଧରି ଏକାଡେମୀ ପକ୍ଷରୁ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା ନହେବା ଓଡ଼ିଶାର ଲେଖକମାନଙ୍କ ମଧ୍ୟରେ ଏକ ନୈରାଶ୍ୟଭାବ ସୃଷ୍ଟି କରିଛି। ଏହା ସହ ଦୀର୍ଘ ଦିନ ଧରି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ଠିକ ଭାବରେ ହେଉନଥିବାର କାରଣ ଦର୍ଶାଇ ଏକାଡେମୀର କର୍ମଚାରୀମାନେ ଅନୁଷ୍ଠାନର ସଚିବଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଆଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଏକାଡେମୀର କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିଥିଲା । ଏହି ଅଭିଯୋଗ ପରେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସଙ୍କୁ ଏକାଡେମୀର ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକଳାପ ଉପରେ ଏହି ଘଟଣା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

ଦୀର୍ଘ ବର୍ଷର ବ୍ୟବଧାନ ପରେ ଲେଖକ ଗୌରହରି ଦାସଙ୍କ ରଚିତ କାହାଣୀରେ ଚଳଚ୍ଚିତ୍ର ପ୍ରତୀକ୍ଷା ନିର୍ମାଣ ହୋଇ ସଫଳତା ହାସଲ କରିବା ଓଡ଼ିଆ ସାହିତ୍ୟ ପାଇଁ ଏକ ବିଶେଷ ଖବର ଥିଲା। କିନ୍ତୁ କିଛି ବିବାଦ ମଧ୍ଯ ଏହା ସହ ଯୋଡ଼ି ହୋଇଥିଲା। ଏହା ସହ ଆରତୀ ପାଟଯୋଷୀଙ୍କ ଗଳ୍ପ ‘ବୋଉର ହାତବାକ୍ସ’ ମଧ୍ଯ ଓଡ଼ିଆ ଚଳଚ୍ଚିତ୍ରର ଧାରାରେ ଯୋଡ଼ି ହୋଇ ଓଡ଼ିଆ ସାହିତ୍ୟ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।

ଏତେ ସବୁ ଘଟଣାବଳୀ ସହ ୨୦୨୨ରେ ଅନେକ ଗଳ୍ପ ସଙ୍କଳନ, କବିତା ସଙ୍କଳନ, ଉପନ୍ୟାସ , ନାଟକ , ଶିଶୁ ସାହିତ୍ୟ ଆଦି ପୁସ୍ତକ ସହ ଅନେକ ପତ୍ର ପତ୍ରିକା ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି।

ବିଗତ ବର୍ଷ ପରି ଏ ବର୍ଷ ମଧ୍ୟ ମହାମାରୀ କରୋନାର ପ୍ରଭାବ ଏତେ ବେଶୀ ନଥିବାରୁ ପ୍ରାୟ ସବୁ ସାରସ୍ୱତ କାର୍ଯ୍ୟକ୍ରମ କରୋନା କଟକଣା ରହିତ ଥିଲା ଏବଂ ଆଭାସୀ ମଞ୍ଚରୁ ବାହାରି ପ୍ରତ୍ୟକ୍ଷ ଭାବରେ ଆନୁଷ୍ଠିତ ହୋଇଥିଲା। କିନ୍ତୁ ବିଶେଷଜ୍ଞଙ୍କ ମତରେ ମହାମାରୀ ଲେଖକ ଲେଖିକାଙ୍କୁ ଅଧିକ ସର୍ଜନଶୀଳ କରିଥିଲା।

ପୃଥିବୀର ଆବର୍ତ୍ତନ ଓ ପ୍ରରିକ୍ରମଣ ସହ କ୍ୟାଲେଣ୍ଡରର ପୃଷ୍ଠା ବଦଳୁଥିବ। ପୁରୁଣା ଯାଇ ନୂଆ ଆସିବ। ଅନେକ ତିକ୍ତ ମଧୁର ସ୍ମୃତି ଯୋଡ଼ି ହେଉଥିବ। ସେଇ ଅନୁଭବ ଓ ଅନୁଭୂତି ସହ ଅନ୍ୟାନ୍ୟ କ୍ଷେତ୍ର ପରି ସାହିତ୍ୟର କ୍ଷେତ୍ର ମଧ୍ୟ ବିକଶିତ ହେଉଥିବ ।

 

Leave A Reply

Your email address will not be published.